ଭତ୍ତା ପାଇଁ ପୁରୁଣା ହିତାଧିକାରୀଙ୍କ ମୃତ୍ୟୁକୁ ନୂଆ ହିତାଧିକାରୀଙ୍କ ଅପେକ୍ଷା

ଜୟପୁର: ଭତ୍ତା ୫୦୦ରୁ ୭୦୦ ଟଙ୍କା ପାଇବା ପାଇଁ ଜଣେ ପୁରୁଣା ହିତାଧିକାରୀଙ୍କ ମୃତ୍ୟୁକୁ ନୂଆ ହିତାଧିକାରୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ଏହା ବାଦେ ବି ସେମାନଙ୍କ ନାଁ ୱେଟିଂ ଲିଷ୍ଟରେ ନଥିବା ଦର୍ଶାଇ ମିଳି ପାରୁନାହିଁ। ଅପରପକ୍ଷରେ ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନାରେ ରାଜ୍ୟ ଓ କେନ୍ଦ୍ରସରକାର ମାନସିକବିକାରଗ୍ରସ୍ତ, ନିରାଶ୍ରୟ, ବେସାହାରା, ଅନାଥ, ବିଧବା, ମାନସିକ ଅନଗ୍ରସର, ଏଚଆଇଭି ଆକ୍ରାନ୍ତଙ୍କୁ ଆବେଦନପତ୍ର ଦାଖଲ କରିବା ମାତ୍ରକେ ଯୁଦ୍ଧକାଳୀନ ଭିତ୍ତିରେ ଭତ୍ତା ଦେବାକୁ ନିର୍ଦେଶ ରହିଛି। ଆବେଦନ କରିବାର ୪ବର୍ଷ ପରେ ବି ମାନସିକବିକାରଗ୍ରସ୍ତ, ନିରାଶ୍ରୟ, ବେସାହାରା, ଅନାଥ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜୟପୁର ପୌରପାଳିକା ଅର୍ନ୍ତଗତ ୧ନଂ ୱାର୍ଡର ଜୟନଗର ଦାଶିରୀସାହି (ହରିଜନସାହି) ଆଲବିନ ହରିଜନ, ଚାଚେରିନ ହରିଜନ ଓ ପାନୋ ହରିଜନଙ୍କ କ୍ଷେତ୍ରରେ। ଆଲବିନ୍ ହରିଜନଙ୍କର ନିଜର ବୋଲି କେହି ନାହିଁ। ବାପା ମା‌ଆ ଛେଉଣ୍ଡ ଅବିବାହିତା ଆଲବିନ୍। ମୁର୍ଚ୍ଚାରୋଗରେ ପିଡୀତ। ସେପରି ଚାଚେରୀନ ହରିଜନ ବି ଅନାଥ ଏବଂ ବେସାହାରା ଏବଂ ଅବିବାହିତ। ‌ଏହି ସାହିରେ ରହୁଛନ୍ତି ପାନୋ ହରିଜନ। ମାନସିକ ବିକାରଗ୍ରସ୍ତ। ତାଙ୍କର ବି କେହି ନାହିଁ। ତିନି ଜଣଙ୍କର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ନାହିଁ। ନୂଆଣିଆ ଚାଳଘରକୁ ପ୍ରତିବର୍ଷ ଛାଉଣି କରିପାରୁ ନଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ଘର ଭିତରକୁ ପଡ଼ିଥାଏ।

Sambad

ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଖଣ୍ଡମାନ ଛପର ସାରା ଭର୍ତ୍ତି। ମାଗି ଯାଚି ତିନିଜଣ ପରଘର ବାରଣ୍ଡାରେ ନିଜର ଭାଗ୍ୟକୁ ଆଦରି ଭୋକ ଉପବାସରେ ପଡ଼ି ରହୁଛନ୍ତି। ଗତ ୪ବର୍ଷ ତଳେ ଏହି ତିନି ଜଣ ବେସହାରା ମହିଳା ସମାଜସେବୀ କାହ୍ନୁ ହରିଜନଙ୍କ ସହ ଜୟପୁର ପୌରପାଳିକା କାର୍ଯ୍ୟାଳୟକୁ ଯାଇ ଭତ୍ତା ଓ ଆବାସଖଣ୍ଡିକ ପାଇଁ ଆବେଦନପତ୍ର ଅନଲାଇନ୍ ଓ ଅଫଲାଇନରେ ଦାଖଲ କରିକି ଆସିଥିଲେ। ଏହାପର ଠାରୁ ପୌର କାର୍ଯ୍ୟାଳୟକୁ ଗତ ୪ବର୍ଷ ହେବ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ଅଥଚ ଏମାନେ ଭତ୍ତା ପାଇ ପାରିନାହାଁନ୍ତି। ଏହି ତିନି ହିତାଧିକାରୀ ଜରୁରୀ ବର୍ଗରେ ଭତ୍ତା ଓ  ପକ୍କାଘର ଯୋଜନାରେ ସାମିଲ ହେବାର ରହିଥିଲେ ହେଁ ଏହା ଏବେ ପର୍ଯ୍ୟନ୍ତ ହୋଇ ପାରି ନାହିଁ। ଭତ୍ତା ଓ ଆବାସଘର ଯୋଜନାରେ ଜିଲ୍ଲାପ୍ରଶାସନ ଆଉ ନୂଆରେ ସାମିଲ କରିବା ପାଇଁ ଟାର୍ଗେଟ ପୌରପାଳିକାକୁ ଦେଇନି। ଏହା ଫଳରେ ଭତ୍ତା ପାଉଥିବା ହିତାଧିକାରୀ ଜଣେ କେହି ମୃତ୍ୟୁବରଣ କଲେ ତାଙ୍କ ସ୍ଥାନ ୱେଟିଂ ଲିଷ୍ଟରେ ଥିବା ହିତାଧିକାରୀଙ୍କୁ କିମ୍ବା ଜରୁରୀ ହିତାଧିକାରୀଙ୍କୁ ନୂଆରେ ସାମିଲ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର