ଜଳୁଛି ସହର, ବଢୁଛି ତାତି: ଭବାନୀପାଟଣାରେ ୪୧.୬ ଡିଗ୍ରି ଉପରେ ପାରଦ

୪ ପ୍ରମୁଖ ସହ‌ରରେ ପାଣି ପାଇଁ ଲୋକେ ଡହଳବିକଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ କିଛି ଦିନ ହେଲ‌ା କ୍ରମାଗତ ଭାବରେ ପାରଦ ବଢ଼ିବାରେ ଲାଗିଛି। ଅସହ୍ୟ ଗରମ ସାଙ୍ଗକୁ ଉତ୍କଟ ଜଳକଷ୍ଟ ସହରବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। ଗାଁ ଠାରୁ ବଳି ପଡୁଛି ସହରର ଜଳକଷ୍ଟ। ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡ଼ ସହରରେ ବର୍ଷ ତମାମ୍‌ ଆବଶ୍ୟକ ମୁତାବକ ପାଇପ୍‌ ଜଳ ଯୋଗାଣ ହୋଇପାରୁନାହିଁ। ବର୍ତ୍ତମାନ ଗ୍ରୀ‌ଷ୍ମ ଋତୁରେ ସହରବାସୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ୩୯.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ୨୬ ତାରିଖରେ ୩୮.୬, ୨୭ ତାରିଖରେ ୩୮.୫, ୨୮ ତାରିଖରେ ୪୦ , ୨୯ ତାରିଖରେ ୪୦.୮, ୩୦ ତାରିଖରେ ୪୧.୦ , ମାର୍ଚ୍ଚ ୩୧ ତାରିଖରେ ୪୧.୫ ଡିଗ୍ରି ଓ ଏପ୍ରିଲ ୧ତାରିଖରେ ୪୧.୬ ଡିଗ୍ରି ତାପମ‌ାତ୍ରା ରେକର୍ଡ କରାଯାଇଛି। ଭବାନୀପାଟଣା ସହରର ଜନସଂଖ୍ୟା ୭୭ ହଜାର ୬୯୩ ଥିବାବେଳେ ୧୦ ହଜାର ୪୦୦ ପରିବାର ଅଛନ୍ତି। ସେଥିମଧ୍ୟରୁ ୮ ହଜାର ୬୬୧ ଟି ପରିବାରକୁ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି।

ଭବାନୀପାଟଣା ସହରର ୨୦ ଟି ୱାର୍ଡର ୧ ହଜାର ୭୩୯ ଟି ପରିବାରକୁ ବର୍ତ୍ତମାନ ସୁଦ୍ଧା ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ହୋଇନାହିଁ। ସହରବାସୀଙ୍କୁ ଦୈନିକ ୧୦.୪୯ ମିଲିୟନ୍‌ ଲିଟର ପାନୀୟ ଜଳର ଆବଶ୍ୟକତା ରହିଛି। କିନ୍ତୁ ବିଭାଗ ପକ୍ଷରୁ ୯ ମିଲିୟନ୍‌ ଲିଟର ପାନୀୟ ଜଳ ଯୋଗାଣ ହେଉଛି। କେସିଙ୍ଗା ସହରର ଜନସଂଖ୍ୟା ୨୧ ହଜାର ୬୪୯ ଥିବାବେଳେ ମୋଟ୍‌ ପରିବାର ସଂଖ୍ୟା ୨ହଜାର ୬୫୨ ରହିଛି। ଏହି ସହରକୁ ୨.୯୨ ମିଲିୟନ ଲିଟର ପାନୀୟ ଜଳ ଆବଶ୍ୟକତା ରହିଛି। କିନ୍ତୁ ବିଭାଗ ତରଫରୁ କେବଳ ୨.୨୫ ମିଲିୟନ୍‌ ଲିଟର ପାନୀୟ ଜଳ ଯୋଗାଣ ହେଉଛି। ଫଳରେ ୧ହଜାର ୧୫୪ ପରିବାର ଦୈନିକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।

ଜୁନାଗଡ଼ ସହରର ଜନସଂଖ୍ୟା ୨୨ ହଜାର ୧୧୮ ଥିବାବେଳେ ମୋଟ୍‌ ପରିବାର ସଂଖ୍ୟା ୩ ହଜାର ୬୮୭ ରହିଛି। ଏହି ସହରବାସୀଙ୍କୁ ଦୈନିକ ୨.୯୯ ମିଲିୟନ୍‌ ଲିଟର ପାନୀୟ ଜଳ ଆବଶ୍ୟକତା ରହିଛି। ମାତ୍ର ବିଭାଗ ତରଫରୁ ୨.୪୭ ମିଲିୟନ୍‌ ଲିଟର ପାନୀୟ ଜଳ ମିଳୁଛି। ଫଳରେ ୧ ହଜାର ୮୮୪ ଟି ପରିବାର ପ୍ରତିଦିନ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିଭଳି ଧର୍ମଗଡ଼ ସହରର ଜନସଂଖ୍ୟା ୧୭ ହଜାର ୯୦୨ ରହିଥିବା ବେଳେ ପରିବାର ସଂଖ୍ୟା ୩ ହଜାର ୨୯୧ ରହିଛି।

ଧର୍ମଗଡ଼ ସହରବାସୀଙ୍କୁ ପ୍ରତ୍ୟେକ ଦିନ ୨.୪୨ ମିଲିୟନ୍‌ ଲିଟର ପାନୀୟ ଜଳ ଆବଶ୍ୟକତା ଥିବାବେଳେ କେବଳ ୦.୯୯ ମିଲିୟନ୍‌ ଲିଟର ପାନୀୟ ଜଳ ‌ଯୋଗାଣ ହେଉଛି। ଏହି ସହରର ୨ ହଜାର ୨୩୦ ପରିବାର ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ୪ଟି ସହରବାସୀ ପ୍ରତ୍ୟେକ ବର୍ଷ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି। ଏନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ଏହି ୪ଟି ପ୍ରମୁଖ ସହରକୁ ଦୈନିକ ୧୪.୬୨ ମିଲିୟନ୍‌ ଲିଟର ପାନୀୟ ଜଳଯୋଗାଣ ହେଉଥିବା ବେଳେ ଆବଶ୍ୟକ ଭିତ୍ତିଭୂମିର ଅଭାବରୁ ୭ ହଜାର ୭ଟି ପରିବାର ବଳକା ୪.୨ ମିଲିୟନ ଲିଟର ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।

ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା ତିଆରି ହେଉଛି। କିନ୍ତୁ ତଳ ସ୍ତରରେ ଏହାର ସଠିକ୍‌ କାର୍ଯ୍ୟକାରୀ ହେଉନଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ୧୦୦ ପ୍ରତିଶତ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଯୋଜନା ମୁତାବକ କାର୍ଯ୍ୟ ଚାଲିଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବାକିଥିବା ଅଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର