ଭେଜେଙ୍ଗଵାଡା ପୋଷ୍ଟ ଅଫିସରେ ଦୁର୍ନୀତି ଘଟଣା:ଶତାଧିକ ଜମାକାରୀ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ଭେଜେଙ୍ଗଵାଡା ପୋଷ୍ଟ ଅଫିସରେ ହୋଇଥିବା ଦୁର୍ନୀତିର କୌଣସି ସୁଫଳ ମିଳିପାରି ନାହିଁ ଜମାକାରୀଙ୍କୁ।କେବଳ ତଦନ୍ତ ଚାଲିଥିବା ନାମରେ ଲୋକଙ୍କୁ ଭୁତାଇ ଦିଆଯାଉଥିବା କୁହାଯାଇଛି।ଆଜି ଶତାଧିକ ଜମାକାରୀ ଜିଲ୍ଲାପାଳ ଵାଇ ବିଜୟଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ।ଜମାକାରୀଙ୍କ କହିବା ହେଲା ଦୁର୍ଗମ ଅଂଚଳରେ କୌଣସି ବ୍ୟାଙ୍କର ସୁବିଧା ନଥିବାରୁ ଲୋକେ ପୋଷ୍ଟ ଅଫିସ ଉପରେ ଭରସା କରିଥାନ୍ତି।

ତେବେ ଗ୍ରାମାଞ୍ଚଳରେ ରହିଥିବା ଏହି ପୋଷ୍ଟ ଅଫିସରେ ଲୋକେ ନିଜର କଷ୍ଟାର୍ଜିତ ଟଂକା ଜମା କରୁଥିଲେ।ନିଜର ଭବିଷ୍ୟତ ଗଢିବା ପାଇଁ ଲୋକେ ପ୍ରତି ମାସରେ ଟଂକା ଜମା କରୁଥିଲେ।କିନ୍ତୁ ଗତ ୧୨ ବର୍ଷ ହେଲେ ଭେଜେଙ୍ଗଵାଡା ପୋଷ୍ଟ ଅଫିସରେ କାମ କରୁଥିବା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ମନ ପୂଜାରୀ ଜାରିଆତି କରି ଚାଲିଥିଲା।କିନ୍ତୁ ଗତ ଗତ କିଛି ମାସ ତଳେ ସେ ଗ୍ରାମରୁ ଫେରାର ହେବା ପରେ ଜମାକାରୀମାନେ ନିଜର ଟଂକା ଉଠାଇବାକୁ ଯାଇ ସବୁ ଜାଣିପାରିଥିଲେ।ପୋଷ୍ଟ ଅଫିସରେ ଟଂକା ବନ୍ଧା ଯାଇନଥିବା ବେଳେ ଗ୍ରାହକମାନଙ୍କ ଖାତାରେ କିନ୍ତୁ ଷ୍ଟାମ୍ପ ମାରି ଟଂକା ପୈଠ ଦର୍ଶାଇ ଦିଆଯାଇଛି।ବହୁ ଗରିବ ଲୋକ ଏହି ପୋଷ୍ଟ ଅଫିସରେ ନିଜର କଷ୍ଟାର୍ଜିତ ଟଂକାକୁ ବାନ୍ଧିଛନ୍ତି।

ତେବେ ଏବେ ସେମାନେ ଟଂକା ପାଇଁ ବାରଦ୍ବାର ବୁଲୁଛନ୍ତି।ଏନେଇ କାଲିମେଳା ଥାନାରେ ଏତଲା ଦାୟର କରିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜମାକାରୀ ଅଭିଯୋଗ କରିଥିଲେ।ସେହିପରି ପୋଷ୍ଟ ଅଫିସର ଉପରିସ୍ତ ଅଧିକାରୀମାନେ ମଧ୍ୟ ଘନ ଘନ ପୋଷ୍ଟ ଅଫିସକୁ ଆସି ତଦନ୍ତ କରୁଥିଲେ ମଧ୍ୟ ଏହାର କୌଣସି ଖବର ଜଣାପଡୁ ନାହିଁ।ତେବେ କିପରି ସେମାନେ ନିଜର ଟଂକା ଫେରି ପାଇବେ ସେନେଇ କୌଣସି ବ୍ୟବସ୍ଥା କରିବା ପାଇଁ ଆଜି ଲୋକମାନେ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଥିଲେ।ଏଭଳି ହେଲେ ଲୋକେ ପୋଷ୍ଟ ଅଫିସରେ ଟଂକା ବାନ୍ଧିବା ବନ୍ଦ କରିଦେବେ ବୋଲି ଆଶଂକା କରାଯାଉଛି।

ଏହି ସମସ୍ୟାକୁ ନେଇ କୌଣସି ରାଜନୈତିକ ଦଳ ମଧ୍ୟ ମୁହଁ ଖୋଲୁନଥିବା କୁହାଯାଇଛି।କେବଳ ବିଜେପି ଏନେଇ ପାଟି କରୁଥିବା ଦେଖିବାକୁ ମିଳିଛି।ବହୁ ଗରିବ ପରିବାର ନିଜର ପୁଅ ଝିଅର ବାହା ଘର ପାଇଁ ଏହି ପୋଷ୍ଟ ଅଫିସରେ ଟଂକା ଜମା ରଖିଥିଲେ ତେବେ ସେମାନେ ଏବେ ସର୍ବସ୍ବାନ୍ତ ହୋଇଯାଇଥିବା କହିଥିଲେ।ଟଂକା ନମିଳିଲେ ସେମାନେ ମରିଯିବେ ବୋଲି କହିଥିଲେ।ଏପରିସ୍ଥଳେ ତୁରନ୍ତ ସରକାର ଏବଂ ଜିଲ୍ଲା ପ୍ରଶାସନ କୌଣସି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର