କୋରାପୁଟ ଦେଇ ଚାଲିବ ଭିଶ୍ଟାଡମ୍ କୋଚ

ଜୟପୁର: କୋରାପୁଟ ଦେଇ ଅତି ଶୀଘ୍ର ଚାଲିବ ଭିଶ୍ଟାଡମ୍ କୋଚ (ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବଡବଡ କାଚ ଲାଗିଥିବା କୋଚ)। ଏ ନେଇ ଇଷ୍ଟ କୋଷ୍ଟ ରେଲୱେ ୱାଲଟିୟର ଡିଭିଜନର ଡିଆରଏମ୍ ଅନୁପ କୁମାର ଶତପଥୀ ସୂଚନା ଦେଇଛନ୍ତି। ଆଜି ଡିଆରଏମ୍ ଏକ ସ୍ବତନ୍ତ୍ର ଟ୍ରେନରେ କୋରାପୁଟ-ଜୟପୁର ଅଞ୍ଚଳ ଗସ୍ତ କରି ବିଭିନ୍ନ ରେଳଷ୍ଟେସନରେ ଥିବା ସମସ୍ୟା ଓ ସେ ସମ୍ପର୍କିତ ଅଭିଯୋଗ ଶୁଣିଛନ୍ତି। ଆସନ୍ତା ୨୮ ତାରିଖରେ ରେଳବାଇ ଜୋନର ଜେନେରାଲ ମ୍ୟାନେଜରଙ୍କ କୋରାପୁଟ ଓ ଜୟପୁର ଅଂଚଳକୁ ବାର୍ଷିକ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ସହ ଗସ୍ତକୁ ଆଖିରେ ରଖି ଏହା ତାଙ୍କ ପ୍ରାକ୍ ପ୍ରସ୍ତୁତି ବୋଲି କହିଛନ୍ତି ଡିଆରଏମ୍। ବିଶେଷ ଭାବରେ କୋରାପୁଟ ସହର ଦେଇ ଯାଇଥିବା ଜାତୀୟ ରାଜପଥର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ରେଳବାଇ ଜମି ଅଧିଗ୍ରହଣ ଓ ରେଳ ଲାଇନରେ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଲ୍ଏଚଏସ ନିର୍ମାଣ ପାଇଁ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଆବଦାଲ ଆଖତରଙ୍କ ସହ ରେଳଷ୍ଟେସନରେ ଆସିଥିବା ସ୍ବତନ୍ତ୍ର ରେଳରେ ଆଲୋଚନା କରାଯାଇଥିବା ସେ ସୂଚନା ଦେଇଛନ୍ତି।

‌ଡିଆରଏମ୍ ଗସ୍ତ ସମୟରେ ଲକ୍ଷ୍ମୀପୁର, ଦାମନଯୋଡି, କୋରାପୁଟ, ଜୟପୁର ଆଦି ରେଳଷ୍ଟେସନରେ ଚାଳିଥିବା ଉନ୍ନୟନମୂଳକ କାମ, ରେଳପଥ ଦୋହରୀକରଣ, ବ୍ରିଜ ଆଦିର ଯାଞ୍ଚ କରିଥିଲେ। ଏଠାରେ କାମ କରୁଥିବା ଗ୍ୟାଙ୍ଗମ୍ୟାନ ଓ ଅନ୍ୟ କର୍ମଚାରୀଙ୍କ ସହ ସୁରକ୍ଷା ଆଦିକୁ ନେଇ ଆଲୋଚନା କରିବା ସହ ସେମାନଙ୍କ ଅଭି‌ଯୋଗ ଆଦି ବି ଡିଆରଏମ୍ ଶୁଣିଥିଲେ। ଷ୍ଟେସନରେ ଯାତ୍ରୀ ମାନଙ୍କ ସହ ଅନୁସଙ୍ଗିକ ସୁବିଧା, ସୁଯୋଗ, ଆବଶ୍ୟକତା ଆଦିକୁ ନେଇ ଆଲୋଚନା କରିଥିଲେ। ପର୍ଯ୍ୟଟନ ଋତୁରେ ବିଶାଖାପାଟଣାରୁ କିରଣ୍ଡଲ ପର୍ଯ୍ୟନ୍ତ ଚାଲିଥିବା ଯାତ୍ରୀବାହୀ ଟ୍ରେନରେ ଦୁଇଟି ଭିଶ୍ଟାଡମ୍ କୋଚ ଆରକୁ ପର୍ଯ୍ୟନ୍ତ ଲାଗିଥିଲା ତାହା ଏବେ କିରଣ୍ଡଲ ପର୍ଯ୍ୟନ୍ତ ସଂଯୋଗ ରହିବ ବୋଲି ଡିଆରଏମ୍ କହିଛନ୍ତି।

Sambad

ଏହା ଦ୍ବାରା କୋରାପୁଟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀର ବିକାଶ ହୋଇ ପାରିବ ଏବଂ ଯାତ୍ରୀ ମାନେ ମଧ୍ୟ ପ୍ରାକୃତିକ ବିଭବକୁ ଉପଭୋଗ କରିପାରିବେ ବୋଲି ଡିଆରଏମ୍ କହିଛନ୍ତି। କୋରାପୁଟ ବିକାଶ ପରିଷଦର ସଦସ୍ୟ ମାନେ ଡିଆରଏମଙ୍କୁ ଭେଟି ଆଲୋଚନା କରିଥିଲେ। କୋରାପୁଟ ଦେଇ ଯାଉଥିବା ଏବଂ ବନ୍ଦ ପଡ଼ିଥିବା ରେଳ ଗୁଡ଼ିକୁ ପୁଣି ଚଲାଇବା, କେରାପୁଟରୁ ନୂଆଦିଲ୍ଲୀକୁ ସଂଯୋଗ କରୁଥିବା ଟ୍ରେନ, କୋରାପୁଟରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନୂତନ ରେଳ

ଚଳାଚଳ ଆରମ୍ଭ କରିବା ପାଇଁ ଦାବି କରାଯାଇଥିବା କହିଛନ୍ତି ପରିଷଦର ସମ୍ପାଦକ ଶେଖ୍ ଇବ୍ରାହିମ୍। ତାଙ୍କ ସହ ଅଶ୍ବିନୀ ପଟ୍ଟନାୟକ, ଜି.ସଂଜୀବ କୁମାର ପ୍ରମୁଖ ଭେଟିଥିଲେ। ଯେଉଁ ସମସ୍ୟାର ସମାଧାନ ତାଙ୍କ କାର୍ଯ୍ୟାଳୟ ଦ୍ୱାରା ହୋଇପାରିବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରଚେଷ୍ଟା କରାଯିବା ସହ ଅନ୍ୟାନ୍ୟ ସମସ୍ୟା ଗୁଡିକ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଡିଆରଏମଙ୍କ ସହ ସିନିୟର ଡିଭିଜିନାଲ ଇଂଜିନିୟର (ନର୍ଥ) ଡ୍ୟାଭିଡ୍ ରାଲଫ୍, ସିନିୟର ଅପରେସନାଲ ମ୍ୟାନଜର ଜି.ସୁନିଲ କୁମାର, ସିନିୟର ଡିଭିଜିନାଲ କମର୍ସିଆଲ୍ ମ୍ୟାନଜର ଏକେ ତ୍ରିପାଠୀ, ସିନିୟର ଡିଭିଜନ ପେରସନାଲ ଅଫିସର ଆରଏନଏ ପରିଡ଼ା,
ସିନିୟର ଡିଭିଜନାଲ ସେଫ୍ଟି ଅଫିସର ପ୍ରବୀଣ ଭାଟି ଆଦି ଅଧିକାରୀ ଏହି ଗସ୍ତରେ ସାମିଲ ରହି ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର