ରାଜନଗର: ଭିତରକନିକା ଇକୋ ଡେଭଲପମେଂଟ ଓ ଇକୋ ଟୁରିଜିମ ସୋସାଇଟି (ବିଚ୍)ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ରାଜନଗର ବନଖଣ୍ତ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏହି ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ରାଜନଗର ଡିଏଫଓ ଡ. ଯଜ୍ଞଦତ ପତି ଏଥିରେ ଅଧ୍ୟକ୍ଷତା କରିଥିଲେ। ଆସନ୍ତାବର୍ଷଠାରୁ ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପରିଭ୍ରମଣକୁ ଅଧିକ ସରସ, ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ‘ବିଚ୍’ର ଆର୍ଥିକ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା। ଏଥିରେ ୧ କୋଟି ୨୮ ଲକ୍ଷ ଟଙ୍କା ମଧ୍ୟରୁ ଆସନ୍ତା ବର୍ଷ ୯୭ ଲକ୍ଷ ୫୨ହଜାର ଟଙ୍କା ବିନିଯୋଗ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ଅର୍ଥରେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ ବିଶ୍ରାମ କକ୍ଷ, ଗୁପ୍ତି ଘାଟ, ଖୋଳା ଘାଟ ଓ ହବାଳିଖଟିର ଜେଠୀଗୁଡିକୁ ପୁନଃଉଦ୍ଧାର ଓ ସେଠାରେ ଥିବା ବିଶ୍ରାମକକ୍ଷଗୁଡିକୁ ଉପଯୁକ୍ତ ରକ୍ଷଣାବେକ୍ଷଣ କ୍ଷେତ୍ରରେ ବିନିଯୋଗ କରାଯିବ। ଏହି ବୈଠକରେ ‘ବିଚ୍’ ଅଧୀନରେ କାମ କରୁଥିବା କର୍ମଚାରୀମାନଙ୍କୁ ଇପିଏଫ ଜରିଆରେ ଆର୍ଥିକ ବ୍ୟବସ୍ଥା କରିବା ପାଇଁ କର୍ମଚାରୀ ମାନଙ୍କ ଦାବି ସଂପର୍କରେ ଦାବି ହୋଇଥିଲା। ଏହି ଆଲୋଚନାରେ ଆସିସିଏଫ ମନୋଜ କୁମାର ମହାପାତ୍ର ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବା ସହ ଏକ କମିଟି ଗଠନ କରାଯାଇ କର୍ମଚାରୀମାନଙ୍କ ଦାବିକୁ ଅନୁଧ୍ୟାନ କରିବା ସହିତ ଇନସ୍ୟୁରାନ୍ସ ମାଧ୍ୟମରେ ଆର୍ଥିକ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ। ଏହି କମିଟିରେ ଗୁପ୍ତି, ଡାଙ୍ଗମାଳ, ଖୋଳା ପ୍ରଭୃତି ସ୍ଥାନରେ ପର୍ଯ୍ୟଟକମାନଙ୍କୁ ନେବା ଆଣିବା କରୁଥିବା ଘରୋଇ ବୋଟ ସଂଘର ସଭାପତି ବ୍ରହ୍ମାନନ୍ଦ ଗାଇନି ପେଣ୍ଠଠାରେ ଇକୋ ରିଟ୍ରିଟକୁ ଆସିବାକୁ ଥିବା ପର୍ଯ୍ୟଟକମାନେ ପରିଭ୍ରମଣ ସମୟରେ ସିଧା ସଳଖ ଭିତରକନିକା ଜାତୀୟ ଉଦ୍ୟାନକୁ ନଯାଇ ଗୁପ୍ତି ଘାଟ ଦେଇ ନୌବିହାରର ବ୍ୟବସ୍ଥା କରାଗଲେ ଘରୋଇ ବୋଟ ମାଲିକ ଓ କର୍ମଚାରୀମାନେ ଦୀର୍ଘଦିନ ଧରି ରହିଥିବା କ୍ଷତିରୁ ଭରଣା କରାଯାଇପାରିବ ବୋଲି କହିଥିଲେ।
ଆରସିସିଏଫ ଶ୍ରୀ ମହାପାତ୍ର ଏହାକୁ ଗ୍ରହଣ କରି କିପରି ଘରୋଇ ବୋଟ ମାଲିକ ଓ କର୍ମଚାରୀମାନେ ଇକୋ ରିଟ୍ରିଟର ପର୍ଯ୍ୟଟକମାନଙ୍କୁ ପରିଭ୍ରମଣରେ ସାହାର୍ଯ୍ୟ କରିବେ ସେ ନେଇ ଡିଏଫଓ ଡ. ପତି ବିଚାର ବିମର୍ଶ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାଛଡା ଭିତରକନିକା ଜାତୀୟ ଉଦ୍ୟାନ ମୁଖଶାଳାରେ ଆଗନ୍ତୁକ ପର୍ଯ୍ୟଟକ, ସ୍ଥାନୀୟ ପର୍ଯ୍ୟଟକମାନଙ୍କ ପାଇଁ ଏକ ସୁଲଭ ସୌଚାଳୟ ନିର୍ମାଣ କରାଯିବା ପାଇଁ ଇଡିସି ସଭ୍ୟମାନେ ପ୍ରସ୍ତାବ ଦେଇଥିଲେ। ବଡକଥା ହେଲା ଭିତରକନିକା ଜାତୀୟ ଉଦ୍ୟାନ, ଗୁପ୍ତି, ହବାଳିଖଟି ପ୍ରଭୃତି ସ୍ଥାନରେ ପର୍ଯ୍ୟଟକମାନଙ୍କୁ ଭୋଜନ ଯୋଗାଇ ଦେଉଥିବା ଇଡିସି ସଭ୍ୟମାନେ ପୂର୍ବରୁ ନିର୍ଦ୍ଧାରିତ ୫ଶହ ଟଙ୍କା ପରିବର୍ତ୍ତେ ଅଧିକ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ବୈଠକରେ ଅତିରିକ୍ତ ବନ ସଂରକ୍ଷକ ବିରଂଚି ନାରାୟଣ ସାମଲ, ତହସିଲଦାର ଭୋଳାନାଥ ସେଠୀ, କନିକା ରେଂଜ ଅଫିସର ମାନସ କୁମାର ଦାସ, ଫରେଷ୍ଟର ମହନ୍ତ କୁମାର ମଲିକ, ଇକୋ କ୍ଲବର ସଂଯୋଜକ ଗୋପିନାଥ ଦାସ, ଇଡିସି ସଭ୍ୟ ଖଗେଶ୍ବର ଲେଙ୍କା, ପ୍ରଭାତ କୁମାର ବେହେରା, ଘରୋଇ ବୋଟ ସଂଘର ସଭାପତି ବ୍ରହ୍ମାନନ୍ଦ ଗାଇନି, ରମେଶ ମିସ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର, ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ସୂର୍ଯ୍ୟ ନାରାୟଣ ଲେଙ୍କା ଭର୍ଚୁଆଲ ମୋଡରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।