ରାଜନଗର: ୧୯୭୪ ମସିହାରେ ଆମେରିକାର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡକ୍ଟର ଏଚ.ଆର. ବଷ୍ଟାର୍ଡ ଭିତରକନିକାର ବଉଳା କୁମ୍ଭୀରମାନଙ୍କ ଉପରେ ଗବେଷଣା କରିବାକୁ ଆସି ଗହୀରମଥାରେ ବିରଳ କଇଁଛ ସମାଗମସ୍ଥଳ ଦେଖି ଏହା ଅଲିଭରିଡଲେ ପ୍ରଜାତିର ବୋଲି ଚିହ୍ନଟ କରିଥିଲେ। ଏହାପରେ ବିରଳ କଇଁଛଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ ଓ କଟକଣା ଲାଗୁ କରାଯାଇଛି। ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ରାଜ୍ୟର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା, ୧୯୯୩ରେ ଓଡ଼ିଶା ମେରାଇନ୍ ଫିସ ରେଜୁଲେସନ ଆକ୍ଟ, ୧୯୮୧ ଅନୁସାରେ ଗହୀରମଥାକୁ ନୋ ଫିସିଂ ଜୋନ ଘୋଷଣା, ସମୁଦ୍ରକୂଳଠାରୁ ୨୦ ମିଟର ଯାଏ ମେସିନ୍ ଡଙ୍ଗା ବା ଟ୍ରଲର ସାହାର୍ଯ୍ୟରେ ମାଛ ଧରା ନିଷେଦ୍ଧ, କଇଁଛଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨, ପରିବେଶ ସୁରକ୍ଷା ଆଇନ ୧୯୮୬, କୋଷ୍ଟାଲ ରେଜୁଲେସନ ୧, ୨, ୩ ଓ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଇନ ୧୯୮୨ ମଧ୍ୟ ରହିଛି।
ଏହି ବିରଳ କଇଁଛଙ୍କୁ ଗହୀରମଥାର ପରିବେଶ ସୁହାଉଥିବାରୁ ହଜାର ହଜାର ମାଇଲ ଅତିକ୍ରମ କରି ଗହୀରମଥାକୁ ଆସିଥାନ୍ତି। ଅକ୍ଟୋବର ପ୍ରଥମ ସପ୍ତାହରୁ ଏମାନେ ଗହୀରମଥାକୁ ଆସିଥାନ୍ତି ଓ ଅଣ୍ତା ଦେଇ ଛୁଆ ଫୁଟାଇବା ପରେ ମଇ ମାସ ଶେଷ ସୁଦ୍ଧା ଚାଲିଯାଇଥାନ୍ତି। ସମଗ୍ର ବିଶ୍ବରେ ଉପଲବ୍ଧ ହେଉଥିବା କଇଁଛ ସଂଖ୍ୟାରୁ ପ୍ରାୟ ୫୦ ପ୍ରତିଶତ କଇଁଛଙ୍କ ସମାଗମ ଗହୀରମଥାରେ ହୋଇଥାଏ। ସବୁଠାରୁ ଛୋଟ ସାମୁଦ୍ରିକ କଇଁଛ ଯାହାକୁ ଅଲିଭ୍ରିଡ୍ଲେ କୁହାଯାଏ। ସାରା ପୃଥିବୀରେ ଏମାନଙ୍କ ବଂଶ ଲୁପ୍ତପ୍ରାୟ ହେବାକୁ ଯାଇଥିବାରୁ ସେମାନଙ୍କୁ ଆଇୟୁସିଏନ୍ ରେଡ୍ ଡାଟା ବୁକରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ବିରଳ କଇଁଛମାନେ ଦଳଦଳ ହୋଇ ବାଲୁକାଶଯ୍ୟାକୁ ଆସି ବାଲୁକାରାଶିରେ ୪୦ ରୁ ୫୦ ସେଣ୍ଟିମିଟର ଗଭୀର ଗାତ ଖୋଳି ଅଣ୍ତା ଦେଇଥାନ୍ତି। ପ୍ରତିଟି କଇଁଛ ୧୦୦ ରୁ ୧୨୦ଟି ଲେଖାଏ ଅଣ୍ତା ଦେଇଥାନ୍ତି। ଏହି ଅଣ୍ତାଗୁଡ଼ିକରୁ ସାଧାରଣତଃ ୪୫ ରୁ ୬୦ ଦିନ ମଧ୍ୟରେ ଛୁଆ ବାହାରିଥାନ୍ତି।