ନୂଆ ରୂପରେ ଭିତରକନିକା, ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ

ପଲିଥିନମୁକ୍ତ ପାଇଁ ପଦକ୍ଷେପ, ବୋଟ୍‌ ଲାଇବ୍ରେରି, ମ୍ୟାନଗ୍ରୁଭ ନର୍ସରି,କନିକା କାଫେ ଆକର୍ଷଣ

ରାଜନଗର: ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ନୂଆ ରୂପରେ ସଜେଇ ହୋଇଛି। ଦୀର୍ଘ ୩ ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଆସନ୍ତାକାଲି ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ପୂର୍ବ ଅପେକ୍ଷା ଭିତରକନିକାର ଶୋଭା ଦ୍ବିଗୁଣିତ ହୋଇଛି। ପ୍ରବେଶ ପଥ ଡାଙ୍ଗମାଳଠାରେ ପର୍ଯ୍ୟଟକଙ୍କ ପାଇଁ ସେଲ୍‌ଫି ପଏଣ୍ଟ୍‌ ସହିତ ବୋଟ୍‌ ଲାଇବ୍ରେରି ପ୍ରସ୍ତୁତ କରାଯାଇଛି। ବୋଟ ଲାଇବ୍ରେରିରେ ଭିତରକନିକାର ବିଭିନ୍ନ ପଶୁପକ୍ଷୀ, ଗଛଲତା ସଂପର୍କିତ ବହି ସହିତ ବିଭିନ୍ନ ଶିକ୍ଷଣୀୟ ବହି ରଖାଯାଇଛି। ଛାତ୍ରଛାତ୍ରୀଙ୍କ ସମେତ ସବୁ ବର୍ଗର ପର୍ଯ୍ୟଟକ ଏହି ବୋଟ ଲାଇବ୍ରେରିର ମଜା ନେଇପାରିବେ। ଏଥିସହ ଜାତୀୟ ଉଦ୍ୟାନ ଭିତରେ ନୂଆ କରି କନିକା କାଫେ ନିର୍ମାଣ କରାଯାଇଛି। ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କନିକା କାଫେ ଭିତରେ ବସି ପର୍ଯ୍ୟଟକମାନେ ଭୋଜନ କରିବା ସମୟରେ ପଶୁ ପକ୍ଷୀ ଓ ଜଙ୍ଗଲର ଶୋଭା ଉପଭୋଗ କରିପାରିବେ। ଏହାବାଦ୍‌ ପ୍ରଥମଥର ପାଇଁ ସ୍ଥାୟୀ ମ୍ୟାନଗ୍ରୁଭ ନର୍ସରି ନିର୍ମାଣ କରାଯାଇଛି। ଏଥିରେ ୬୭ ପ୍ରଜାତିର ଲୁଣା ଗଛର ଚାରା ପ୍ରସ୍ତୁତ କରାଯାଉଛି। ମ୍ୟାନଗ୍ରୁଭ ଗଛର ନାଁ ଓ ଏହାର ବିଶେଷତ୍ବ ଫଳକ ଲଗାଯାଇଛି। ଏହା ଉଭୟ ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ଉପାଦେୟ ହେବ। ଭିତରକନିକା ଜାତୀୟ ଉଦ୍ୟାନ ପ୍ରବେଶପଥ ଡାଙ୍ଗମାଳ ଭିତରେ ୮ଟି ସରକାରୀ ବୋଟ୍‌ ରଖାଯାଇଛି। ପର୍ଯ୍ୟଟକମାନେ ସିଧାସଳକ ସ୍ଥଳପଥରେ ଆସି ଡାଙ୍ଗମାଳରୁ ଜଳଯାତ୍ରା କରିପାରିବେ। ଏହାବାଦ୍‌ ଚାନ୍ଦବାଲି, ଖୋଳା ଓ ଗୁପ୍ତିରୁ ପର୍ଯ୍ୟଟକମାନେ ଭିତରକନିକା ଆସିପାରିବେ। ଆସନ୍ତାକାଲିଠାରୁ ଡାଙ୍ଗମାଳ ଓ ଗୁପ୍ତିରେ ରାତ୍ରିଯାପନ ଖୋଲା ଥିବା ବେଳେ ହବାଳିଖଟିକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ସମୁଦ୍ର ହବାଳିଖଟିରେ ଥିବା ଡଲଫିନ ହାଉସ ନିକଟକୁ ମାଡି ଆସିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କିଛିଦିନ ପାଇଁ ହବାଳିଖଟିରେ ଦିନ ଓ ରାତ୍ରି ଉଭୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି।
ଅନ୍ୟପଟେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକମାନେ ପଲିଥିନ ଭିତରକୁ ନେଇ ଏଣେତେଣେ ଫୋପାଡିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ। ପଲିଥିନ ଓ ପ୍ଲାଷ୍ଟିକ ଯୋଗୁଁ ଜୀବଜନ୍ତୁ ମାନେ ମଧ୍ୟ ଅସୁବିଧାରେ ପଡୁଛନ୍ତି।

Sambad

ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ପର୍ଯ୍ୟଟକମାନଙ୍କୁ ବନବିଭାଗ ପକ୍ଷରୁ ସଚେତନ କରାଯିବ। ପ୍ଲାଷ୍ଟିକ ବୋତଲକୁ ମଧ୍ୟ ପର୍ଯ୍ୟାୟ କ୍ରମେ ବନ୍ଦ କରାଯିବ। ପର୍ଯ୍ୟଟକମାନେ ଯେତିକି ସଂଖ୍ୟକ ପ୍ଲାଷ୍ଟିକ ପାଣି ବୋତଲ ଭିତରକନିକା ମଧ୍ୟକୁ ନେବେ ଫେରିଲା ବେଳେ ସେମାନେ ସେତିକି ବୋତଲ ଧରିକି ଫେରିବେ। କୌଣସି ପରିସ୍ଥିତିରେ ପ୍ଲାଷ୍ଟିକ ବୋତଲ ଭିତରକନିକା ଜଙ୍ଗଲ କିମ୍ବା ନଦୀ ନାଳ ମଧ୍ୟକୁ ଯେପରି ନଫିଙ୍ଗନ୍ତି, ସେଥିପାଇଁ ସଚେତନ କରାଯିବ। ଏଥିସହ ପର୍ଯ୍ୟଟକମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି କନିକା ରେଂଜ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ଭିତରକନିକା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ସ୍ଥଳପଥ ଅପେକ୍ଷା ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଭିତରକନିକାକୁ ନୌକା ଭ୍ରମଣରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ, ନଇ ପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରା ପୋଇଁବା ଓ ମିଳନର ଦୃଶ୍ୟ ସାଙ୍ଗକୁ ନଦୀ ମଧ୍ୟରେ କୁମ୍ଭୀରଙ୍କ ମିଳନର ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ।

ସମ୍ବନ୍ଧିତ ଖବର