ଭିତରକନିକା: ଯେତିକି ରୋମାଞ୍ଚ, ସେତିକି ଶିହରଣ
ରାଜନଗର: ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନର ମାନ୍ୟତା ପାଇଥିବା ଭିତରକନିକା ପ୍ରକୃତିର ଅନବଦ୍ୟ ଉପହାର ରୂପେ ରାଜ୍ୟକୁ ସାରା ବିଶ୍ବରେ ଏକ ଭିନ୍ନ ପରିଚୟ ଦେଇଛି। ବ୍ରାହ୍ମଣୀ, ବୈତରଣୀର ଅବବାହିକାରେ ଏହା ଭାରତର ଦ୍ବିତୀୟ ବୃହତମ ହେନ୍ତାଳ ବଣ। ଜୈବ ବିବିଧତାରେ ଭରା ଏହି ଅଭୟାରଣ୍ୟ ଅସଂଖ୍ୟ ପ୍ରଜାତିର ଜୀବଜନ୍ତୁ ଓ ବୃକ୍ଷଲତାରେ ପରିପୂର୍ଣ୍ଣ। ଏହାର ବୈଚିତ୍ରମୟ ପରିବେଶ ପର୍ଯ୍ୟଟକଙ୍କ ମନରେ ଯେତିକି ରୋମାଂଚ ଭରିଥାଏ, ଶିହରଣ ଭରିଦେବା ଭଳି ସେତିକି ଚିତ୍ରକୁ ସାଇତି ରଖିଥାଏ। ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଘୋଷିତ ହୋଇଛି ଅନ୍ତର୍ଜାତୀୟ ‘ରାମସା’ର ସାଇଟ ଭାବେ। ଏହାର ସମୃଦ୍ଧ ଜୈବ ବିବିଧତା ପାଇଁ ଏହା ଇକୋ ସେନ୍ସିଟିଭ ଜୋନ ଭାବେ ଘୋଷିତ ହୋଇଛି। ଭିତରକନିକାରେ ଥିବା ଲୁଣା ଜଙ୍ଗଲ, ୭୩ ପ୍ରଜାତିର ଦ୍ରୁମ, ଗୁଳ୍ମ ଦୃଷ୍ଟି ଗୋଚର ହୁଏ। ଏହି ବିବିଧ ଗୁଳ୍ମ ବ୍ୟତୀତ ଭିତରକନିକାରେ ବୃହତ ବଉଳା କୁମ୍ଭୀରଠାରୁ ଅତିକ୍ଷୁଦ୍ର ଓ ଅନୁଜୀବ ପର୍ଯ୍ୟନ୍ତ ଦେଖିବାକୁ ମିଳେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଲୁଣା ଜଙ୍ଗଲରେ ୫ ପ୍ରଜାତିର ଉଭୟଚର, ୪୨ ପ୍ରଜାତିର ସରୀସୃପ, ୩୧୫ ପ୍ରଜାତିର ଦେଶ ବିଦେଶର ପକ୍ଷୀ, ୨୮ ପ୍ରଜାତିର ସ୍ତନ୍ୟପାୟୀ ରହିଛନ୍ତି। ଖାଦ୍ୟ ଖାଦକ ପକ୍ରିୟାରେ ଏମାନଙ୍କ ସଂଖ୍ୟା ଚିରାଚରିତ ଭାବେ ବୃଦ୍ଧି ପାଉଛି। ଭିତରକନିକାରେ ପ୍ରତିବର୍ଷ ୧୦୦ରୁ ଅଧିକ କୁମ୍ଭୀର ବସା ଠାବ ହୁଏ। ଗୋଟିଏ କୁମ୍ଭୀର ୪୦ ରୁ ୫୦ଟି ଅଣ୍ତା ଦେଇଥାନ୍ତି। ଅର୍ଥାତ୍ ୧୦୦ଟି କୁମ୍ଭୀର ବସାରେ ସର୍ବନିମ୍ନ ୪ହଜାର କୁମ୍ଭୀର ଶାବକ ଜନ୍ମ ନିଅନ୍ତି। ମାତ୍ର ଖାଦ୍ୟ ଖାଦକ ପକ୍ରିୟାରେ ଏକ ପ୍ରତିଶତ କୁମ୍ଭୀର ଶାବକ ବଂଚି ରୁହନ୍ତି ନାହିଁ। କୁମ୍ଭୀର ଶାବକଙ୍କୁ ବଡ କୁମ୍ଭୀର ସହିତ ବଡ ବଡ ମାଛ ମଧ୍ୟ ଖାଇଥାନ୍ତି। କୁମ୍ଭୀର ମାଛ ସହିତ ସରୀସୃପ ଓ ସ୍ତନ୍ୟପାୟୀ ଜୀବଙ୍କୁ ଖାଇଥାଏ। ଖାଦ୍ୟ ଖାଦକ ପକ୍ରିୟା ଯୋଗୁଁ ଜୈବ ବିବିଧତାରେ ସମନ୍ବୟ ରହିଆସିଛି।