ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଭୋଗରାଇ ବ୍ଲକ ପ୍ରଶାସନ, ସ୍ଥାନାନ୍ତର ହେଲେଣି ୧୧ହଜାର ଲୋକ

ବିଭିନ୍ନ ପଞ୍ଚାୟତରେ ପହଞ୍ଚିଲା ଶୁଖିଲା ଖାଦ୍ୟ

ଭୋଗରାଇ: ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ୍। ହେଲେ ଗତକାଲି ରାତି ଠାରୁ ବର୍ଷା ଜାରି ରହିଛି। ଆଜି ସକାଳ ୮ଟା ସୁଦ୍ଧା ୬୫ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାଫଳରେ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି।ଲଗାଣ ବର୍ଷା ଯୋଗୁଁ ଲୋକେ ଆଜି ବି ଘରୁ ବାହାରି ପାରି ନାହାନ୍ତି। ଏପରିକି ଲୋକେ ବାତ୍ୟା ପୂର୍ବରୁ ପରିବା, ସଉଦା, ଔଷଧ ଏବଂ ଅତ୍ୟାବଶ୍ୟକୀୟ ଦ୍ରବ୍ୟ କିଣିବା ମଧ୍ୟ ସମ୍ଭବ ହୋଇପାରିନି।

ସୂଚନା ମୁତାବକ ଏହି ବ୍ଲକରେ ଥିବା ୨୨ରୁ ୨୧ ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ଓ ବିକଳ୍ପ ଆଶ୍ରୟସ୍ଥଳୀ ଭାବେ ୧୪୫ଟି ବିଦ୍ୟାଳୟକୁ ଦିନ ୧୨ ଟା ପର୍ଯ୍ୟନ୍ତ ୧୧ହଜାର ୩୦୦ ଲୋକ ସ୍ଥାନାନ୍ତର ହୋଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ପ୍ରଶାସନ ପକ୍ଷରୁ ୨୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପୂର୍ବ ପ୍ରସ୍ତୁତି ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଆଶା ପ୍ରକଟ କରିଛି ସ୍ଥାନୀୟ ପ୍ରଶାସନ। ଆବଶ୍ୟକ ହେଲେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ତହସିଲଦାର କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ୫୦ଟି ପଞ୍ଚାୟତକୁ ୧୩୦ କୁଇଣ୍ଟାଲ ଚୁଡ଼ା, ୧୩ କ୍ୱିଣ୍ଟାଲ ଗୁଡ଼ ଏବଂ ବିସ୍କୁଟ ଇତ୍ୟାଦି ଶୁଖିଲା ଖାଦ୍ୟ ପହଞ୍ଚି ସରିଛି। ତା ଛଡ଼ା ସମସ୍ତ ପଞ୍ଚାୟତର ରିଟେଲର କେନ୍ଦ୍ରରେ ଚାଉଳ ମଧ୍ୟ ଗଚ୍ଛିତ ରଖାଯାଇଥିବା ବିଡିଓ ସତ୍ୟଜିତ ରାଉତ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦ଟି  ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଆଜି ରନ୍ଧା ଖାଦ୍ୟ ମଧ୍ୟ ଦିଆ ଯାଇଥିବା ଜଣାଯାଇଛି।

ରାତି ସୁଦ୍ଧା ସମସ୍ତ ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧାଖାଦ୍ୟ ଦିଆଯିବ। ସେହିପରି ଛୋଟପିଲାଙ୍କ ପାଇଁ ଛତୁଆ ମଧ୍ୟ ରଖାଯାଇଛି। ପୂର୍ବରୁ ଭୋଗରାଇ ବ୍ଲକରେ ଦିନ ୧୨ଟାରୁ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ସମୁଦ୍ର ତଟବର୍ତ୍ତୀ ଗାଁର ଖାଲୁଆ ସ୍ଥାନମାନଙ୍କରୁ  ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ତରଫରୁ ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମାତ୍ର ୫ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।  ଆଜି ଅପରାହ୍ନଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ଜାରି ରହିଛି। ସୂଚନାଯୋଗ୍ୟ, ଆଜି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ବିଭିନ୍ନ ଗାଁରେ ବାତ୍ୟା ସମ୍ବନ୍ଧୀୟ ସୂଚନା ଦିଆଯାଇଥିଲା। ଅପରାହ୍ନରେ ତହସିଲଦାର କମଳାକାନ୍ତ ପଣ୍ଡା, ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଏବଂ ପୁଲିସ ସୁବର୍ଣ୍ଣପୁର ଦ୍ବୀପରେ ଥିବା ପ୍ରାୟ ୨୦ ପରିବାର ସହିତ ବିଭିନ୍ନ ଖାଲୁଆ ଅଞ୍ଚଳରେ ଥିବା ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଯାଇଥିବା ଜଣାପଡ଼ିଛ।

ଆସନ୍ତାକାଲି ସକାଳେ ସମୁଦ୍ର ତଟବର୍ତ୍ତୀ ସମସ୍ତ ଗାଁ ସହିତ ଅନ୍ୟ ସବୁ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ସାହୁ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନୋଡାଲ ଅଫିସର ଭାବେ ଭୋଗରାଇରେ ପହଞ୍ଚି ସମସ୍ତ ବ୍ୟବସ୍ଥା ପରିଚାଳନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର