ବେଫିକର ତହସିଲ ପ୍ରଶାସନ , କୁଆଖାଇରେ ଲାଗୁନି ସତର୍କ ଫଳକ

ବାଲିଅନ୍ତା:କୁଆଖାଇ ନଦୀ ଏବେ ପ୍ରାଣ ଘାତକ ସାଜିଛି। ଦୁଇଦିନ ମଧ୍ୟରେ ଗାଧୋଇବାକୁ ଆସିଥିବା ଦୁଇଜଣ ନାବାଳକଙ୍କର ପ୍ରାଣହାନୀ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ଏହାପୂର୍ବରୁ ଅନୁରୂପ ଭାବେ କୁଆଖାଇରେ ବୁଡ଼ି ଜଣେ ମହିଳାଙ୍କ ସମେତ ଆଉ ଜଣେ ମତ୍ସ୍ୟଜୀବୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ସ୍ନାନ ଶୌଚ ପାଇଁ ଆସୁଥିବା ଲୋକଙ୍କ ପାଇଁ କୁଆଖାଇ ବିପଦସଙ୍କୁଳ ହୋଇପଡ଼ିଛି । ପ୍ରଥମ କରି କୁଆଖାଇରେ ଗାଧୋଇବାକୁ ଆସୁଥିବା ପିଲାମାନେ ପାଣିର ଗଭୀରତା କେତେ ଜାଣି ନପାରି ଭାସିଯାଇ ମୃତ୍ୟୁ ଘଟୁଛି ।

ବଡ଼କଥା ହେଉଛି, ପିଲାଙ୍କୁ ସାଙ୍ଗରେ ଆଣି କୁଆଖାଇକୁ ଆସୁଥିବା ଲୋକମାନେ ମଧ୍ୟ ପିଲାଙ୍କୁ ଗାଧୋଇବା ବେଳେ ସତର୍କ କରାଉ ନାହାନ୍ତି। ଫଳରେ ଆଖି ସାମନାରେ ଗାଧୋଇବା ବେଳେ ଜଣକ ପରେ ଜଣକ ମୁଣ୍ଡ ଗଲାଣି ।

୯ମାସ ଭିତରେ ଜଣେ ମହିଳାଙ୍କ ସମେତ ମୋଟ ୪ ଜଣଙ୍କର ପ୍ରାଣଯାଇଛି । କୁଆଖାଇ ନଦୀର ଦୁଇ ସୀମାବର୍ତ୍ତୀ ବାଲିଅନ୍ତା ଓ ଭୁବନେଶ୍ବର ତହସିଲଦାର ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଜଣାପଡ଼ିଛି । ଲୋକଙ୍କ ଖାମଖିଆଲି ମନୋଭାବ ଠାରୁ ବଳିପଡ଼ିଛି ବ୍ଲକ ତଥା ଜିଲ୍ଲା ପ୍ରଶାସନର ବେଫିକର ମନୋଭାବ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏକ ସର୍ବେକ୍ଷଣରୁ ଜଣାପଡ଼ିଛିଯେ , ବିଭିନ୍ନ ସମୟରେ କୁଆଖାଇରେ ମୃତ୍ୟୁ ହୋଇଥିବା ମୃତକମାନଙ୍କ ଭିତରୁ ପ୍ରାୟ ସମସ୍ତେ ବାହାର ଅଞ୍ଚଳର ବାସିନ୍ଦା । ବାହାର ଲୋକ ହୋଇଥିବାରୁ ସେମାନଙ୍କର ଗଣ୍ଡସ୍ଥାନ ସଂପର୍କରେ କିଛି ଧାରଣା ନଥିବାରୁ ଗାଧୋଇବା ବେଳେ ଭାସିଯାଇ ମୃତ୍ୟୁର ଶିକାର ହେଉଛନ୍ତି । ସଦ୍ୟତମ ଦୃଷ୍ଟାନ୍ତ ଭାବେ ଦୁଇଦିନରେ ଦୁଇଟି ଜୀବନ ଚାଲିଗଲା । ଅଥଚ ପ୍ରଶାସନର ଚେତା ପଶୁନି ।

ଦୁଇ ତହସିଲ ପ୍ରଶାସନ ଘଟଣା ଘଟିଥିବା ଗଣ୍ଡ ସ୍ଥାନରେ ସତର୍କ ଫଳକ ଲଗାଇବା ଦିଗରେ ତିଳେମାତ୍ର ଆନ୍ତରିକତା ଦେଖାଇନଥିବା ସ୍ଥାନୀୟ ଲୋକ କହିଛନ୍ତି । ଯାହାଫଳରେ ପୂର୍ବଦିନ ଭଳି ଉକ୍ତ ସ୍ଥାନରେ ଲୋକମାନେ ସେମାନଙ୍କ ପିଲାଛୁଆଙ୍କ ସହ ଗାଧୋଉଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଯଦି ପ୍ରଶାସନ ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରେ ତା’ହେଲେ ପୁଣି ଯେ କାହାର ପ୍ରାଛଣହାନୀ ନଘଟିବ କହି ହେଉନାହିଁ । ନଦୀର ଗଣ୍ଡସ୍ଥାନରେ ସତର୍କ ଫଳକ ଲଗାଇବା ଦିଗରେ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର