ଭୁବନେଶ୍ୱର: ନୟାଗଡ଼ବାସୀଙ୍କ ବହୁ ଦିନର ଆଶା ପୂରଣ ହେବାକୁ ଯାଉଛ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ବି ସହରବାସୀଙ୍କ ପାଇଁ ଭୁବନେଶ୍ୱରରୁ ଏକ୍ସପ୍ରେସ୍ ଟ୍ରେନ ଚାଲିବ। ପୂର୍ବତଟ ରେଳପଥ ତରଫରୁ ଏହି ଟ୍ରେନ୍ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ବୋଲି ଶୁକ୍ରବାର ଜଣାପଡ଼ିଛି। ଏହି ଟ୍ରେନ୍ର ନାମ ‘ସେବା ସର୍ଭିିସ ଏକ୍ସପ୍ରେସ୍’ ରହିବ। ସେବା ସର୍ଭିସ ଏକ୍ସପ୍ରେସ୍ ଟ୍ରେନ୍ ଭୁବନେଶ୍ୱର ଷ୍ଟେସନରୁ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିବ ଏବଂ ରାତି ୯ଟାରେ ନୟାଗଡ଼ ପହଞ୍ଚିବ।
ସେବା ସର୍ଭିସ ଏକ୍ସପ୍ରେସ୍ ଟ୍ରେନ୍ ଖୋର୍ଦ୍ଧା ରୋଡ଼, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଓ ବୋଲଗଡ଼ରେ ଅଟକିବ। ଏହି ଏକ୍ସପ୍ରେସ୍ ଟ୍ରେନ ଚାଲିବା ଦ୍ୱାରା ସନ୍ଧ୍ୟା ସମୟରେ ଲୋକଙ୍କୁ ନୟାଗଡ଼ ଯିବା ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ। ଦିନକୁ ଦିନ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ କାମ ଦ୍ରୁତ ଗତିରେ ଆଗକୁ ବଢୁଛି। ନିର୍ଦ୍ଧାରିତ ଲକ୍ଷ୍ୟ ଭିତରେ କାମ ଶେଷ ହେବ ବୋଲି ଅନୁମାନ କରାଯାଉଛି।