ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସ୍ବରୂପଙ୍କ ପାଇଁ ବଡ଼ ଆହ୍ବାନ

ବାଲେଶ୍ବର: ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇ ପରେ ବାଲେଶ୍ବର ସଦର ଆସନକୁ ବିଜେପି ହାତରୁ ଛଡ଼ାଇ ନେବାରେ ସଫଳ ହୋଇଛି ବିଜେଡି। ନବାଗତ ପ୍ରାର୍ଥୀ ସ୍ବରୂପ ଦାସ ଜିତିବା ପରେ ବିଜେଡି ମହଲ ଯେତିକି ଉତ୍ସାହିତ ହେଉଛନ୍ତି, ତା’ଠାରୁ ଅଧିକ ଆଶାବାଦୀ ଅଛନ୍ତି ସଦର ନିର୍ବାଚନମଣ୍ଡଳୀବାସୀ। କାରଣ ବାଲେଶ୍ବରରେ ବାକି ରହିଥିବା ଅନେକ ବିକାଶମୂଳକ କାର୍ଯ୍ୟ ଆଗାମୀ ୩ ବର୍ଷ ମଧ୍ୟରେ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଦେଇଛନ୍ତି।

୨୦୧୯ ସାଧାରଣ‌ ନିର୍ବାଚନରେ ବାଲେଶ୍ବର ସଦର ଆସନକୁ ବିଜେଡି ହାତରୁ ଛଡ଼ାଇ ନେଇଥିଲା ବିଜେପି। ତେବେ ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ଆକସ୍ମିକ ମୃତ୍ୟୁ ପରେ ଚଳିତ ଉପନିର୍ବାଚନରେ ତାଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରାଇ ଅନୁକମ୍ପା ଭୋଟ୍‌ ସାହାଯ୍ୟରେ ଜିତିବାକୁ ଚେଷ୍ଟା କରିଥିଲା ଦଳ। ଏଥିସହ ଗତ ନିର୍ବାଚନରେ ବାଲେଶ୍ବରରୁ ସାଂସଦ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ଏହି ଉପନିର୍ବାଚନ ଏକ ଅଗ୍ନିପରୀକ୍ଷା ସଦୃଶ ଥିଲା। ଏଭଳି ପରିସ୍ଥିତିରେ ପୂର୍ବ ସ୍ଥିତି ବଜାୟ ରଖିବା ଲାଗି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ନିର୍ବାଚନ ପ୍ରଚାରର ଦାୟିତ୍ବ ଦିଆଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଦଳର ବହୁ ହେଭିୱେଟ୍‌ ନେତା ଆସି ମାନସଙ୍କ ପାଇଁ ପ୍ରଚାର କରିଥିଲେ। ସେପଟେ ବିଜେଡି ମଧ୍ୟ ଗତ ନିର୍ବାଚନରେ ହରାଇଥିବା ଏହି ଆସନକୁ ଫେରିପାଇବା ଲାଗି ଶକ୍ତ ରଣନୀତି ପ୍ରସ୍ତୁତ କରିଥିଲା। ନୂଆ ମୁହଁ ଭାବେ ଦଳ ପୂର୍ବତନ କାଉନସିଲର ସ୍ବରୂପ ଦାସଙ୍କୁ ଏଠାରୁ ପ୍ରାର୍ଥୀ କରିଥିବାବେଳେ ତାଙ୍କୁ ଜିତାଇବା ପାଇଁ ବିଜେଡିର ପ୍ରାୟ ୧୫ ଜଣ ମନ୍ତ୍ରୀଙ୍କ ସହ ୪୦ ଜଣ ବିଧାୟକ ନିଜ ନିଜର ଟିମ୍‌ ଧରି ନିର୍ବାଚନମଣ୍ଡଳୀରେ ଡେରା ପକାଇଥିଲେ। ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସ୍ବରୂପଙ୍କ ପାଇଁ ପ୍ରଚାର କରିଥିଲେ। ବାଲେଶ୍ୱରର ବିକାଶକୁ ମୁଖ୍ୟ ପ୍ରସଙ୍ଗ କରି ସେ କହିଥିଲେ, ସମସ୍ତଙ୍କ ପାଇଁ ବିଜୁଳି ଯୋଗାଣଠାରୁ ଆରମ୍ଭ କରି ବିଶୁଦ୍ଧ ପାନୀୟଜଳର ସୁବିଧା କରାଯାଉଛି। ପ୍ରତି ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯିବ। ଗରିବ ଲୋକଙ୍କୁ ଭୂମି ଅଧିକାର, ଗାଁର ଗରିବ ଲୋକଙ୍କୁ ଜମି, ଘର ସହିତ ଗମନାଗମନର ସୁବିଧା କରାଯିବ। ସାଧାରଣ ନିର୍ବାଚନକୁ ଆଉ ୩ ବର୍ଷ ରହିଥିବାରୁ ଏତିକି ସମୟରେ ମଧ୍ୟ ବହୁତ କାମ କରାଯାଇପାରିବ। ତେଣୁ ବାଲେଶ୍ୱରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବରୂପଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ।

ଏବେ ସ୍ବରୂପ ଜିତିସାରିଛନ୍ତି। ତାଙ୍କ ପାଇଁ ବର୍ତ୍ତମାନ ସବୁଠୁ ବଡ଼ ଆହ୍ବାନ ହେଉଛି ବାଲେଶ୍ବରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି। ବାଲେଶ୍ବର ସହରରେ ରାସ୍ତାଘାଟଠାରୁ ଆରମ୍ଭ କରି ଜଳ ନିଷ୍କାସନ, ଜବରଦଖଲ, ପାନୀୟଜଳ, ସୌନ୍ଦର୍ଯ୍ୟୀକରଣ ଏବଂ ବସ୍ତିବାସିନ୍ଦାଙ୍କୁ ଥଇଥାନ ଭଳି ଅନେକ କାମ ଅଧପନ୍ତରିଆ ଭାବେ ପଡ଼ିରହିଛି। ଅନୁରୂପ ଭାବେ ଗ୍ରାମାଞ୍ଚଳରେ ବି ରହିଛି ଅନେକ ସମସ୍ୟା। ତେବେ ଏହି ୩ ବର୍ଷ ଭିତରେ ଅସଂପୂର୍ଣ୍ଣ କାମଗୁଡ଼ିକୁ କେମିତି ସଫଳ ଭାବେ ରୂପାୟିତ କରିବେ ତାହା ସ୍ବରୂପଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍‌ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର