ବିଜାପୁର ଏନକାଉଣ୍ଟର ଘଟଣା: ୧୨ ଘଣ୍ଟା ଧରି ଚାଲିଥିଲା ଗୁଳିବିନିମୟ

୧୨ ମୃତକ ନକ୍ସଲଙ୍କ ନାମରେ ୩୦ ଲକ୍ଷ ଥିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୁଲିସକୁ ମାଓ ଦମନରେ ସଫଳତା ମିଳିବାରେ ଲାଗିଛି। ଗତକାଲି ହୋଇଥିବା ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଥିଲେ। ତେବେ କିପରି ଥିଲା ଏହି ଚଢାଉ ଏବଂ ପୁଲିସର ସଫଳତା ତାକୁ ନେଇ ଆଜି ପୁଲିସ ମହାନିର୍ଦେଶକ ସୁନ୍ଦରରାଜ ପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ବିଜାପୁର ଜିଲ୍ଲାର ଗାଂଗଲୁର ଥାନା ଅଂଚଳର ପିଡିଆ ଜଂଗଲରେ ଦେଢ ଶହରୁ ଉର୍ଦ୍ଧ୍ବ ମାଓବାଦୀ ଏକତ୍ରିତ ହୋଇଛନ୍ତି।କୌଣସି ଏକ ବଡ ଘଟଣାକୁ ଘଟାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ପୁଲିସ ଖବର ପାଇଥିଲା।ତୁରନ୍ତ ସିଆରପିଏଫ,ଡିଆରଜି,ଏସଟିଏଫ ଏବଂ ଜିଲ୍ଲା ପୁଲିସକୁ ମିଶାଇ ପ୍ରାୟ ୧୨ ଶହ ଯବାନ ପିଡିଆ ଜଂଗଲରେ ଚଢାଉ କରିଥିଲେ।ରାତି ତମାମ ନକ୍ସଲଙ୍କ ଅଡ୍ଡାରେ ଜଗି ରହିଥିଲେ।ସକାଳ ୬ଟା ହେବା ମାତ୍ରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।ସକାଳ ୬ଟାରୁ ଗୁଳିବିନିମୟ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା।ପରେ ସର୍ଚ୍ଚ ଅପରେସନରେ ୧୨ ଜଣ ନକ୍ସଲଙ୍କ ଶବ ଜଂଗଲର ବିଭିନ୍ନ ସ୍ଥାନରେ ପଡିଥିବା ଯବାନ ଦେଖିବା ପରେ ଜବତ କରିଥିଲେ।

ଏହି ଗୁଳିବିନିମୟରେ ବହୁ ନକ୍ସଲ ଆହତ ଏବଂ ମୃତ୍ୟୁବରଣ କରିଥିବା ପୁଲିସ କହିଛି।କାରଣ ଆହତ ଏବଂ ମୃତକଙ୍କ ଶବକୁ ନକ୍ସଲ ଜଂଗଲର ଆଢୁଆଳରେ ନେବାରେ ସଫଳ ହୋଇଛନ୍ତି।ତେବେ ନକ୍ସଲ ଦ୍ବାରା ରହି ରହି ଗୁଳିବିନିମୟରେ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି।ତୁରନ୍ତ ଯବାନମାନେ ଆହତ ଗ୍ରାମବାସୀଙ୍କୁ ଚିକିତ୍ସା କରିଥିଲେ।ସେ ସୁସ୍ଥ ଥିବା ପୁଲିସ କହିଛି।ମୃତ ୧୨ ଜଣ ନକ୍ସଲ ନାମରେ ସରକାର ୩୦ ଲକ୍ଷ ଟଂକା ପୁରସ୍କାର ରଖିଥିଲେ ବୋଲି ପୁଲିସ ମହାନିର୍ଦେଶକ ସୁନ୍ଦରରାଜ ପି ପ୍ରକାଶ କରିଛନ୍ତି।କୌଣସି ଜଣେ ଯବାନ ନକ୍ସଲ ଗୁଳିରେ ଆହତ ହୋଇନଥିବା ଜଣାପଡିଛି।ପୂର୍ବ ପ୍ରସ୍ତୁତି ଯୋଗୁଁ ସଫଳତା ମିଳିପାରୁଥିବା କୁହାଯାଇଛି।ଯବାନଙ୍କ ମଧ୍ୟରେ ଜଂଗଲରେ ସଂପର୍କ ଠିକଠାକ ରହିଥିବାରୁ ନକ୍ସଲ ସଫଳ ହୋଇପାରିନଥିଲେ।ଘଟଣାସ୍ଥଳରୁ ଶବ ସହ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ମାଓ ପୁସ୍ତକ, ଔଷଧ ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ଜଂଗଲରେ ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରିବା ପରେ କିଛି ନକ୍ସଲ ନିଜର ପୋଷାକ ବଦଳାଇ ସାଧା ପୋଷାକ ପିନ୍ଧିଥିଲେ।ତେବେ ସେମାନଙ୍କୁ ପୁଲିସ ଗିରଫ କରିଛି।ଆହତ ୩ ଜଣ ନକ୍ସଲଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା କହିଛି।ଏମାନଙ୍କୁ ପଚରାଉଚରା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର