ରାଉରକେଲା: ଦେଓନଦୀ ଉପରେ ନିର୍ମାଣଧୀନ ପୋଲ ସାରିବା ଦାବିରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କ ପକ୍ଷରୁ ଆମରଣ ଅନଶନ ଜାରି ରହିଛି। ଦିନକୁ ଦିନ ଆନ୍ଦୋଳନ ତେଜୁଥିବାବେଳେ ନିର୍ମାଣ କାର୍ଯ୍ୟ କେବେ ସରିବ ? ଜିଲ୍ଲା ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳନି। ପ୍ରତିବାଦରେ ମୁକ୍ତିକାନ୍ତଙ୍କ ଆମରଣ ଅନଶନକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି କଂଗ୍ରେସ, ବିଜେପି, ଆମ୍ ଆଦମି ପାର୍ଟି ଓ ସ୍ଥାନୀୟ ଜନସାଧାରଣ। ଆଜି କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ରାଉରକେଲାରେ ପହଞ୍ଚି ମୁକ୍ତିକାନ୍ତଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ରାଉରକେଲା ଷ୍ଟେସନରୁ ଶତାଧିକ ଯୁବ କଂଗ୍ରେସକର୍ମୀ ବିଜୟ ପଟ୍ଟନାୟକଙ୍କୁ ମୋଟରବାଇକ୍ ରାଲିରେ ଝିରପାଣି ପୋଲ ନିକଟକୁ ପାଛୋଟି ଆଣିଥିଲେ। ସେଠାରୁ ଶ୍ରୀ ପଟ୍ଟନାୟକଙ୍କୁ ଶୋଭାଯାତ୍ରାରେ ଧାରଣାସ୍ଥଳକୁ ନେଇଥିଲେ। କଂଗ୍ରେସର ସୁଶୀଳ କିଣ୍ଡୋ, ଜ୍ଞାନେନ୍ଦ୍ର ଦାସ, ସମାଜସେବୀ ଗୋପାଳ ଦାସଙ୍କ ନେତୃତ୍ବରେ ଶତାଧିକ ସ୍ଥାନୀୟ ବାସିନ୍ଦା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏତେ ବର୍ଷ ଧରି ପୋଲ ନ ହେବା ଦୁର୍ଭାଗ୍ୟଜନକ। ଜମି ଅଧିଗ୍ରହଣ ଆଳରେ ପୋଲ ନିର୍ମାଣ କାମକୁ ବର୍ଷ ବର୍ଷ ଧରି ପକାଇ ରଖିବା ଆଦୌ ଗ୍ରହଣୀୟ ନୁହେଁ । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ଗତ ୧୬ ତାରିଖରେ ମୁକ୍ତିକାନ୍ତଙ୍କ ସହ ସ୍ଥାନୀୟ ବାସିନ୍ଦା, ରାଜନୈତିକ ଦଳର ନେତା ଓ ଅବସରପ୍ରାପ୍ତ ସୈନିକ ସଂଘର କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଝିରପାଣି- ନୂଆଗାଁ ମୁଖ୍ୟ ରାସ୍ତାରେ ବସି ରହିଥିଲେ। ଯେ ପର୍ଯ୍ୟନ୍ତ ନିର୍ମାଣଧୀନ ପୋଲ କାମ ସରିବାକୁ ପ୍ରତିଶ୍ରୁତି ନ ମିଳିଛି, ସେ ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍ ଧରିଥିଲେ। ପ୍ରାୟ ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ ହେବାରୁ ଯାତାୟତ ଠପ୍ ହୋଇଥିଲା। ଝିରପାଣି, ବିଶ୍ରା ଓ ହାତୀବାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ହଟିଯିବାକୁ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲେ। ପ୍ରାୟ ଘଣ୍ଟାଏ ପରେ ବିକ୍ଷୋଭକାରୀମାନେ ରାସ୍ତାରୁ ହଟିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା ପୋଲ ନିର୍ମାଣ କାମ ୨୦୧୮ରୁ ଆରମ୍ଭ ହୋଇଥିଲା। ୨୦୨୦ରେ ଶେଷ ହେବା କଥା। କିନ୍ତୁ ଅଦ୍ୟାବଧି କାମ ସରିନି। ପୋଲ ନିର୍ମାଣ କାମ ସାରିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ସେପେଟ ଅଧପନ୍ତରିଆ ପୋଲ ଉପରେ ଜୀବନକୁ ବାଜି ଲଗାଇ ସ୍ଥାନୀୟ ବାସିନ୍ଦା ନଦୀ ପାରି ହେଉଛନ୍ତି। ବେଶି ଅସୁବିଧା ସମ୍ମୁଖୀନ ହେଉଛନ୍ତି କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ।