ଭିନ୍ନ ଏକ ପ୍ରେମକାହାଣୀ: ଟ୍ରେନ୍‌ ଦୁର୍ଘଟଣାରେ ଦୁଇ ଗୋଡ ହରାଇବା ପରେ ବି ପ୍ରେମିକର ହାତ ଧରିଥିଲେ ପ୍ରେମିକା 

ସ୍ୱତନ୍ତ୍ର ରିପୋର୍ଟ/ ରୀନା ରାମ୍‌

ଯାଜପୁର: ସିନେମା ହେଉ ଅବା ଟେଲିଭିଜନ ଧାରାବାହିକ କିମ୍ବା ଅନ୍ୟ କୌଣସି ପୁସ୍ତକ, ଏଥିରେ ଆମେ ଅନେକ ପ୍ରେମକାହାଣୀ ଦେଖିଛେ ଓ ପଢ଼ିଛେ। ତେବେ ଏମିତି ଅନେକ ସତ ଘଟଣା ରହିଛି, ଯାହା ସିନେମାର କାହାଣୀଠାରୁ ବି ରୋମାଞ୍ଚକର।

ଯାଜପୁର ଜିଲ୍ଲା ମଧୁବନର ଏକତଳା ଗ୍ରାମରେ ଅଶୋକ କୁମାର ମହାନ୍ତି ତାଙ୍କ ପରିବାର ସହିତ ବସବାସ କରନ୍ତି। ପାଠପଢ଼ା ଶେଷପରେ ଅଶୋକ ଏକ କୋରିଅର କମ୍ପାନିରେ କାମ କରୁଥିଲେ। ଏଥିପାଇଁ ସବୁଦିନ ତାଙ୍କୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଯିବା ଆସିବା କରିବାକୁ ପଡ଼ିଥାଏ। ଏହି କୋରିଅର କମ୍ପାନିରେ କାମ କରୁଥିବା ସମୟରେ ବିଜୟାଲକ୍ଷ୍ମୀ ନାମକ ଜଣେ ଯୁବତୀଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା କ୍ରମେ ପ୍ରେମରେ ବଦଳି ଯାଇଥିଲା। ଦୁହେଁ ପରବର୍ତ୍ତୀ ସମୟରେ ଜୀବନସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଥିଲେ। ଏମିତି ହସଖୁସିରେ ଦିନ ବିତୁଥିବା ବେଳେ  ୨୦୧୩ ସମିହାରେ ହଠାତ ଏକ ଦୁର୍ଘଟଣା ଆଶୋକଙ୍କ ଜୀବନକୁ ଓଲଟପାଲଟ କରିଦେଲା।

ସେଦିନ ଥିଲା ଏପ୍ରିଲ ୧ ତାରିଖ। ପ୍ରତିଦିନ ଭଳି କୋରିଅରୁ  କାମ ସାରି ଭୁବନେଶ୍ୱରରୁ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ଟ୍ରେନ୍‌ରୁ ଜିନିଷପତ୍ର ଓହ୍ଲାଉ ଥିବା ସମୟରେ  ଅସାବଧାନତା ହେତୁ ଦୁର୍ଘଟଣାର ଶିକାର ହୋଇଥିଲେ। ସଙ୍ଗେସଙ୍ଗେ ରେଳବାଇ ପୁଲିସ ଓ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା। ଏହାରି ଭିତରେ ଡାକ୍ତର ଅଶୋକଙ୍କ ଚିକିତ୍ସା କରି ସେ ଗୋଡ ଦୁଇଟି  ହରାଇ ଥିବା କଥା ପରିବାର ଲୋକଙ୍କୁ ଜଣାଇଥିଲେ। ସମସ୍ତେ ଦୁଃଖରେ ଭାଙ୍ଗିପଡ଼ିଲେ।  ଅସ୍ତ୍ରୋପଚାର ପରେ ଆଶୋକଙ୍କୁ ଅନେକ ଦିନ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା।

ଏସବୁ ଭିତରେ ଆଶୋକଙ୍କ ଦୁର୍ଘଟଣା ଖବର ବିଜୟାଲକ୍ଷ୍ମୀଙ୍କ ପାଖରେ ପହଞ୍ଚି ସାରିଥାଏ। ଆଶୋକ ନିଜ ଦୁଇଗୋଡ ହରାଇବା ସହିତ ତାଙ୍କ ଭଲପାଇବାକୁ ବି ସବୁଦିନ ପାଇଁ ହରାଇ ଦେଇଥିବା କଥା ଭାବି ଭାଙ୍ଗି ପଡ଼ିଥିଲେ। କିନ୍ତୁ ନିଜ ଭଲପାଇବାକୁ ନେଇ ଅଟଳ ଥିଲେ। ବିଜୟାଲକ୍ଷ୍ମୀଙ୍କ ବ୍ୟବହାର ଓ ମିଳାମିଶାରେ କୌଣସି ପରିବର୍ତ୍ତନ ଆସି ନଥିଲା। ଅଶୋକ ଭାବିଥିଲେ ସେ ଗୋଡ ହରାଇବା ପରେ ବିଜୟାଲକ୍ଷ୍ମୀ ତାଙ୍କ ହାତ ଛାଡ଼ିଦେବେ, ମାତ୍ର ସେଭଳି ହୋଇ ନ ଥିଲା।

ସମ୍ପୂର୍ଣ୍ଣ ଚିକିତ୍ସା ପରେ ଆଶୋକ ହସ୍‌ପିଟାଲ୍‌ରୁ ଘରକୁ ଫେରିଥିଲେ। କିଛିଦିନ ପରେ ଅଶୋକ ଓ ବିଜୟାଲକ୍ଷ୍ମୀଙ୍କ ବିବାହକୁ ନେଇ ଦୁହିଁଙ୍କ ପରିବାରରେ କଥା ଉଠିଥିଲା। ଅବଶ୍ୟ କନ୍ୟାପକ୍ଷ ଅସନ୍ତୁଷ୍ଟ ଥିଲେ। ଝିଅର ଭଲ ପାଇବା ଆଗରେ ସବୁକିଛି ହାର ମାନିଥିଲା।

୨୦୧୫ ମସିହା ମଇ ମାସରେ ସବୁ ବାଧାବିଘ୍ନକୁ ଏଡାଇ ବିଜୟାଲକ୍ଷ୍ମୀ ଅଶୋକଙ୍କ ହାତ ଧରିିଲେ। ମନର ମଣିଷକୁ ପାଖରେ ପାଇ ସବୁ ଦୁଃଖ ଭୁଲି ଯାଇଥିଲେ ଦୁହେଁ। ଏବେ ତାଙ୍କର କୋଳରେ ଅଢ଼େଇ/ତିନିବର୍ଷର ପୁଅ ଋଷଭ। ଦୁର୍ଘଟଣା ପରେ ଅଶୋକ ଗ୍ରାମମୁଣ୍ଡରେ ଗ୍ରାମବାସୀଙ୍କ ସାହାଯ୍ୟରେ ଏକ ଛୋଟ ପାନ ଦୋକାନଟିଏ କରିଛନ୍ତି। ଏହି ଦୋକାନରୁ ଯାହା ଆୟ କରୁଛନ୍ତି ସେଥିରୁ ତାଙ୍କୁ ଗୁଜୁରାଣ ମେଣ୍ଟାଇବା କଷ୍ଟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ବି ବିଜୟାଲକ୍ଷ୍ମୀ ତାଙ୍କୁ ସାହାଯ୍ୟ ସହଯୋଗ କରି ଆସିଥିବା କଥା ଆଶୋକ କହନ୍ତି।

 

ସମ୍ବନ୍ଧିତ ଖବର