ବିଜେପୁର: ଗତ ୨୦୧୯ ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ବିଜେପୁରଠାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ମାତ୍ର ଉକ୍ତ ତାଲିମ କେନ୍ଦ୍ର ବିଜେପୁର ବଦଳରେ ବରଗଡ଼ରେ ଚାଲୁଥିବା ଖବର ପ୍ରଚାର ହେବା ପରେ ବିଜେପୁର ଅଞ୍ଚଳରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ପ୍ରକଳ୍ପ ଘୋଷଣାର ଦୀର୍ଘ ୪ ବର୍ଷ ବିତି ସାରିଥିଲେ ମଧ୍ୟ ଏଯାଏଁ ଟେଣ୍ତର ହୋଇନାହିଁ। ବିଜେପୁର ନିକଟସ୍ଥ ଗଣ୍ତପାଲି ମୌଜାର ୫ ଏକର ଜମି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପାଇଁ ଓଡ଼ିଶା ସରକାରଙ୍କ ନାମରେ ପଞ୍ଜୀକୃତ ହୋଇ ପଟ୍ଟା ହୋଇଛି। କିନ୍ତୁ ଉକ୍ତ ସ୍ଥାନରେ କୋଠା ତିଆରି ପାଇଁ ଟେଣ୍ତର ହୋଇନାହିଁ। ପ୍ରକ୍ରିୟାକୁ ତ୍ବାରାନ୍ବିତ କରିବା ବଦଳରେ ବରଗଡ଼ଠାରେ ଉକ୍ତ ଅନୁଷ୍ଠାନ ଚାଲୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

Advertisment

ଗତ ସାଧାରଣ ନିର୍ବାଚନରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। କିଛିଦିନ ପରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ସେ ବିଭିନ୍ନ ମେଗା ପ୍ରକଳ୍ପ ଘୋଷଣା କରିଥିଲେ। ତନ୍ମଧ୍ୟରେ ବିଜେପୁରଠାରେ ସରକାରୀ ଆଇଟିଆଇ କଲେଜ ଅନ୍ତର୍ଭୁକ୍ତ ଥିଲା। ସେହି ଦିନରୁ ବିଜେପୁରବାସୀ ଆଇଟିଆଇ କଲେଜ୍‌କୁ ଚାହିଁ ରହିଛନ୍ତି। ମାତ୍ର ଉକ୍ତ ସରକାରୀ ଆଇଟିଆଇ କଲେଜ ବରଗଡ଼ରେ ଚାଲୁଥିବାର ଖବର ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମନ୍ତ୍ରୀ ରୀତା ସାହୁଙ୍କୁ ଏସଂପର୍କରେ ପଚାରିବାରୁ ବିଜେପୁରଠାରେ ଆଇଟିଆଇ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥାରେ ସମସ୍ୟା ଥିବାରୁ ବରଗଡ଼ଠାରେ ଅସ୍ଥାୟୀ ଭାବେ ଏହାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଥିଲେ। ବିଜେପୁରଠାରେ କୋଠା ତିଆରି ହେବା ପରେ ଉକ୍ତ ଅନୁଷ୍ଠାନ ଶୀଘ୍ର ଆରମ୍ଭ ହେବ। ଅଳ୍ପଦିନ ମଧ୍ୟରେ ଟେଣ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।