ରାଉରକେଲା : ଗତକାଲି ସହରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ପବିତ୍ର ଉତ୍କଳ ଦିବସ। ବିଭିନ୍ନ ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ ଗୃ୍ହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆର୍ଏମ୍ସି କମିଶନର ଦିବ୍ୟଜ୍ୟୋତି ପରିଡା ଓ ଅନ୍ୟ ବରିଷ୍ଠ ଅଧିକାରୀ। ସହରର ପ୍ରମୁଖ ଛକରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ, ରାଜନୈତିକ ଦଳ, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଡ଼ମ୍ବନା, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରିସରରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ପକାଇବାକୁ କେହି ଆସି ନଥିଲେ। ସମସ୍ତେ ଭୁଲି ଯାଇଥିଲେ। ବିପିୟୁଟି ଅଧିକାରୀ, କର୍ମଚାରୀ ହେଉ ଅବା ବିଜେଡିର ନେତା ଓ କର୍ମୀ କାହାର ବି ମନେ ପଡି ନଥିଲା। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିଜେଡିର ନେତା ଓ କର୍ମୀଙ୍କ ସହ ସହରର ଅନେକ ସଂସ୍ଥା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିର୍ସା ମୁଣ୍ଡା, ଉତ୍କଳ ମଣି ଗୋପବନ୍ଧୁ, ମଧୁସୁଦନ ଦାସ, କଳିଙ୍ଗ ବିହାର ଓ ସେକ୍ଟର-୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ବତନ୍ତ୍ର ଓଡ଼ିଶା ଗଠନ, ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷ. ରାଜନେତାଙ୍କ ସ୍ମୃତିଚାରଣ କରିଥିଲେ। ଦୁଃଖର କଥା ବିପିୟୁଟି ପରିସରସ୍ଥ ବିଜୁ ପଟ୍ଟନାୟକ ପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଯେମିତି ସମସ୍ତେ ପାସୋରି ଯାଇଥିଲେ। ଉତ୍କଳ ଦିବସରେ ରାଜ୍ୟର ଜଣେ ମହାନ ନେତାଙ୍କ ପତି ଏଭଳି ଅସମ୍ମାନକୁ ନେଇ ସହରର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଉତ୍କଳ ଦିବସରେ ବିଜୁବାବୁଙ୍କୁ ଭୁଲିଗଲେ
/sambad/media/post_attachments/wp-content/uploads/2021/04/WhatsApp-Image-2021-04-02-at-21.52.23.jpeg)