କେନ୍ଦ୍ରାପଡ଼ା: ୨୦୨୧, ଜାନୁଆରି ୧୦ତାରିଖରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ତାଲାପଦର ଗାଁରେ ନିର୍ମାଣଧୀନ ବିଜୁ ସେତୁ ଭୁଶୁଡ଼ିଲା। ଜଣେ ଶ୍ରମିକଙ୍କ ମୃତ୍ୟୁ ସହିତ ତିନିଜଣ ଗୁରୁତର ହେଲେ। ତ୍ରୁଟିପୂର୍ଣ୍ଣ ସେଣ୍ଟ୍ରି˚ କାରଣରୁ ଏହି ଅଘଟଣ ଘଟିଥିବା ତଦନ୍ତରୁ ଜଣାପଡ଼ିବା ପରେ ସହକାରୀ ଯନ୍ତ୍ରୀ(ଏଇ), କନିଷ୍ଠ ଯନ୍ତ୍ରୀ(ଜେଇ) ଏବ˚ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ ହେଲା। ସପ୍ତାହକ ଭିତରେ ତିନିଜଣଙ୍କୁ ଗିରଫ କରାଗଲା। ନିର୍ବାହୀ ଯନ୍ତ୍ରୀଙ୍କୁ ବି ପରବର୍ତ୍ତୀ ସମୟରେ ଦାୟିତ୍ବରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ କରାଗଲା। କେନ୍ଦ୍ରାପଡ଼ାରେ ବି ଅନୁରୂପ ଭାବେ ମାର୍ଶାଘାଇଠାରେ ନିର୍ମାଣଧୀନ ମନ୍ତେଇ-ବାଲିଘାଇ ସେତୁ ଭୁଶୁଡ଼ିବାକୁ ସାତ ଦିନ ବିତିଲାଣି। ଯଦିଓ କାହାର ଜୀବନହାନି ଘଟିନି, କିନ୍ତୁ ପଙ୍କମୟ ମାଟିରେ ସେଣ୍ଟ୍ରି˚, ସଟରି˚ ଏବ˚ ଗେଜି˚ରେ ସା˚ଘାତିକ ଅବହେଳା କାରଣରୁ ପୋଲ ସ୍ଲାବ୍‌ ଭୁଶୁଡ଼ିଥିବା ତଦନ୍ତରୁ ଜଣାପଡ଼ିଛି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ମାର୍ଶାଘାଇ ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ତୁଷାରକାନ୍ତୀ ନାୟକଙ୍କୁ ନିଲମ୍ବନ କରି ବିଭାଗ ତାର କାମ ସାରି ଦେଇଥିବା ମନେ ହେଉଛି। ତଦନ୍ତରେ ଅବହେଳାର ଜଳଜଳ ପ୍ରମାଣ ଥିବା ସତ୍ତ୍ବେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ-୧ ଅଜିତ୍‌ ସାହୁ ଓ ଏସ୍‌ଡିଓ ଶ୍ରୀକାନ୍ତ ମହନ୍ତଙ୍କ ବିରୋଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ହେଲାନାହିଁ। କ’ଣ ଲୋକଙ୍କ ଜୀବନ ଗଲେ କେବଳ ବିଭାଗ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବ? ନବରଙ୍ଗପୁରରେ ବିଜୁ ସେତୁ ଭୁଶୁଡ଼ିବା ପାଇଁ ଖିଲାପି ତିନି ଯନ୍ତ୍ରୀ ଓ ଠିକାଦାରଙ୍କୁ ଦାୟୀ କରି ବିଭାଗ ଯେପରି ନିଲମ୍ବନ ଓ ଗିରଫ ରୂପକ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇ ‘ଅବହେଳାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ’ ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କଲା, କେନ୍ଦ୍ରାପଡ଼ା କ୍ଷେତ୍ରରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ନେବାରେ ଅସୁବିଧା କେଉଁଠି ରହିଛି ବୋଲି ପ୍ରଶ୍ନ ଉଠୁଛି।

Advertisment

ନବରଙ୍ଗପୁରରେ ୨କୋଟି ୪୧ଲକ୍ଷ ବ୍ୟୟ ଅଟକଳରେ ଯେଉଁ ବିଜୁ ସେତୁ ନିର୍ମାଣ ହେଉଥିଲା, ତାହା ତ୍ରୁଟିପୂର୍ଣ୍ଣ ସେଣ୍ଟ୍ରି˚ କାରଣରୁ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଥିଲା। ବିଭାଗୀୟ ଇ˚ଜିନିୟର‌୍‌ ଇନ୍‌ ଚିଫ୍‌(ଇଆଇସି) ଓ ମୁଖ୍ୟ ଯନ୍ତ୍ରୀଙ୍କ ତଦନ୍ତରୁ ଏହି ଅବହେଳା ସାମ୍ନାକୁ ଆସିବା ପରେ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାମଲଙ୍କୁ ନିଲମ୍ବିତ କରାଯିବା ସହିତ ସହକାରୀ ଯନ୍ତ୍ରୀ ଅସିତ ପାତ୍ର, କନିଷ୍ଠ ଯନ୍ତ୍ରୀ ନିର˚ଜନ ସାହୁ ଏବ˚ ଠିକାଦାର ଆଶିଷ ବିଶ୍ବାଳଙ୍କୁ ପୁଲିସ ଗିରଫ କରିଥିଲା। ମାର୍ଶାଘାଇରେ ବି ଗତ ୧୧ତାରିଖରେ ଅନୁରୂପ ମନ୍ତେଇ-ବାଲିଘାଇ ବିଜୁ ସେତୁ ସ୍ଲାବ୍‌ ପଡ଼ୁଥିବା ବେଳେ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ କାହାର କିଛି କ୍ଷୟକ୍ଷତି ହୋଇନଥିଲା କି ଜୀବନହାନି ଘଟି ନଥିଲା। ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ନିର୍ଦେଶକ୍ରମେ ଇଆଇସି ଓ ମୁଖ୍ୟଯନ୍ତ୍ରୀ ପ୍ରକଳ୍ପସ୍ଥଳରେ ତଦନ୍ତ କରିବା ପରେ ପଙ୍କମୟ ମାଟିରେ ତ୍ରୁଟିପୂର୍ଣ୍ଣ ବଲା ପାଇଲି˚ ତଥା ପୋଲ ସେଣ୍ଟ୍ରି˚-ସଟରି˚-ଗେଜି˚ ଠିକ୍‌ ରୂପେ ହେଇନଥିବା କାରଣରୁ ଏଭଳି ଘଟିଥିବା ଜଣାପଡ଼ିଥିଲା। ଘଟଣାର ଚାରିଦିନ ପରେ ଇଆଇସି କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ହେଲେ ନିର୍ବାହୀ ଯନ୍ତ୍ରୀ ଓ ଏସଡିଓଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେମାନଙ୍କୁ କିଏ ଘଣ୍ଟ ଘୋଡ଼ାଉଛି?

ନବରଙ୍ଗପୁର ପୋଲ ଭୁଶୁଡ଼ିବା ଘଟଣା ପରେ ସଚିବ ଶ୍ରୀ ଜେନା ୨୦୨୧, ଜାନୁଆରି ୧୩ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ, ସେଥିରେ ପୋଲର ଫଲ୍‌ସ କାମ ବା ସେଣ୍ଟ୍ରି˚-ସଟରି˚-ଗେଜି˚ ଯାଞ୍ଚ ଦାୟିତ୍ବ ନିର୍ବାହୀଯନ୍ତ୍ରୀଙ୍କ ଉପରେ ନ୍ୟସ୍ତ ଥିବା ଉଲ୍ଲେଖ ରହିଛି। ନିର୍ବାହୀଯନ୍ତ୍ରୀ ଯାଞ୍ଚ କରି ଅନୁମତି ଦେବା ପରେ ପୋଲ ଉପରେ ସ୍ଲାବ୍‌ ପଡ଼ିବ। ସର୍ବାଧିକ ୨୦ମିଟର‌୍‌ ଯାଏ ସ୍ଲାବ୍‌ ପଡ଼ିବାର ଅନୁମତି ନିର୍ବାହୀଯନ୍ତ୍ରୀଙ୍କ ହାତରେ ରହିଛି ଏବ˚ ଏହା ଉପରକୁ ହେଲେ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ତାଙ୍କୁ ଅନୁମତି ଆଣିବାକୁ ପଡ଼ିବ ବୋଲି ନିର୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଏଭଳି ସ୍ଥିତିରେ ମାର୍ଶାଘାଇରେ ବିଜୁ ସେତୁର ଯେଉଁ ସ୍ଲାବ୍‌ ଭୁଶୁଡ଼ି ପଡ଼ିଲା, ତାହା ସାଢେ଼ ୧୨ମିଟର‌୍‌ ବିଶିଷ୍ଟ। ତେଣୁ ନିର୍ବାହୀ ଯନ୍ତ୍ରୀ, ଏସ୍‌ଡିଓ ଯାଞ୍ଚରେ ଅବହେଳା କାରଣରୁ ସ୍ଲାବ୍‌ ଭୁଶୁଡ଼ି ପଡ଼ିଥିବା ସ୍ପଷ୍ଟ ହେଉଥିବାରୁ ନିୟମାନୁଯାୟୀ ଦୁହିଁଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ପ୍ରଶ୍ନ ଉଠୁଛି। ଘଟଣାକୁ ସାତଦିନ ବିତି ଗଲାଣି। ବିଭାଗକୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଉ କେତେ ଦିନ ସମୟ ଲାଗିବ, ତାରି ଉପରେ ସମସ୍ତଙ୍କ ନଜର ରହିଛି।