ଫୁଲବାଣୀ: ଓଡିଶାର ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ଥିଲା ୨୩ତମ ଶ୍ରାଦ୍ଧ ଦିବସ। ସଂପ୍ରତି ବିଶ୍ବରେ କରୋନା ଭୟାବହତାକୁ ନେଇ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ସହକାରେ ପାଳନ କରିବାକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ନିବେଦନ କରିଥିଲେ।
ଏମିତି ଘରେ ବିଜୁବାବୁଙ୍କ ଫଟୋ ଚିତ୍ର ରଖି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଜୀବନୀ ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଇବାକୁ କୁହାଯାଇଥିଲା। ହେଲେ ସୁପ୍ରିମୋଙ୍କ ଏଭଳି ନିବେଦନକୁ ଫୁଲବାଣୀରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ମାନି ନଥିବା ଦେଖିବାକୁ ମିଳିଛି। ନେତା ଓ କାର୍ଯ୍ୟକର୍ତ୍ତା ବିଜୁ ପଟ୍ଟନାୟକ ଛକରେ ପହଞ୍ଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କର ସ୍ମୃତି ଚାରଣ ମଧ୍ୟ କରିଥିଲେ। ଅବଶ୍ୟ କରୋନା ଲକ୍ ଡାଉନ ନିୟମ ମାନି ଅଳ୍ପ କିଛି ଜଣ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଆଉ ସାମାଜିକ ଦୂରତା ମଧ୍ୟ ରହିଥିଲା। ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଆବାହକତ୍ବରେ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ଜିଲ୍ଲା ସମ୍ପାଦକ କମଳ ବେହେରା,ନଜର ସଭାପତି ସୁଧୀର କହଁର,ଆଇନଜୀବୀ ପ୍ରତାପ କୁମାର ପାତ୍ର,ଚିନ୍ତାମଣି ଦାସ,ନମିତା ବେହେରା ପ୍ରମୁଖ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/plbapl17-biju-babu-nka.jpg)