ସୁନ୍ଦରଗଡ଼: ବିଜୁ ସ୍ବାସ୍ଥ୍ୟ କାର୍ଡ ଓ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ସ୍ଥାନାନ୍ତର ପତ୍ର ଥିବା ସତ୍ତ୍ବେ ସୁନ୍ଦରଗଡ଼ ଜିଲ୍ଲା କୁଚେଡେଗା ପଞ୍ଚାୟତ ପାଣ୍ଡିଆପାଲିର ସ୍ତନକର୍କଟ ଆକ୍ରାନ୍ତ ମହିଳା ଚନ୍ଦ୍ରକାନ୍ତି ନାଏକ (୫୫) ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସା ସୁବିଧା ନପାଇ ଫେରି ଆସିଥିଲେ। ଅଭାବନୀୟ ଖବରଟି ଶୁକ୍ରବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଜ୍ୟ ବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। ଏହା ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି।

Advertisment

ଓଡ଼ିଶା ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆଜି ଅପରାହ୍ନରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଶକ୍ତିପ୍ରସାଦ ନାଥ ପାଣ୍ଡିଆପାଲି ଯାଇ ମହିଳା ଓ ତାଙ୍କ ପରିବାର ପାଖରୁ ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ସଂଗ୍ରହ କରିଥିଲେ। ବିଜୁ ସ୍ବାସ୍ଥ୍ୟ କାର୍ଡ ଦେଖାଇଥିଲେ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ସୁବିଧା ମିଳି ନଥିବା ଓ ଡାକ୍ତରୀ ଫି’, ପରୀକ୍ଷା ବାବଦକୁ ୨୬ ହଜାର ଟଙ୍କା ନିଆଯାଇଥିବା ତଦନ୍ତକାରୀ ଅଧିକାରୀଙ୍କ ଆଗରେ ପ୍ରକାଶ କରିଥିଲେ। ରିପୋର୍ଟ ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଛନ୍ତି।

କର୍କଟ ଆକ୍ରାନ୍ତ ମହିଳାଙ୍କୁ ଚିକିତ୍ସା ପାଇଁ ସୋମବାର ଭୁବନେଶ୍ବର ଡାକ୍ତରଖାନା ନିଆଯିବ ଓ ପୂର୍ବରୁ ହୋଇଥିବା ଖର୍ଚ୍ଚ ଟଙ୍କା ତାଙ୍କୁ ଫେରସ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଦିଆଯାଇଥିଲେ ମଧ୍ୟ ସମ୍ପୃକ୍ତ ଘରୋଇ ଡାକ୍ତରଖାନା ଓ ସ୍ବାସ୍ଥ୍ୟ ବିଭାଗର ସମନ୍ବୟ ନରହିବାରୁ ଏପରି ଅସୁବିଧା ସୃଷ୍ଟି ହୋଇଥିଲା। ଆଗକୁ ଏ ଦିଗରେ ଅଧିକ ଧ୍ୟାନ ଦିଆଯିବ’ ବୋଲି ସେ କହିଛନ୍ତି। ଅନ୍ୟପଟେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘଟଣାରେ ଟୁଇଟ୍ କରି ‘ତଦନ୍ତ ଚାଲିଛି, ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି କହିଛି।

ପ୍ରକାଶଯୋଗ୍ୟ, ସ୍ତନ କର୍କଟ ଆକ୍ରାନ୍ତ ମହିଳା ଚନ୍ଦ୍ରକାନ୍ତିଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇବା ପରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସ୍ଥାନାନ୍ତର ପତ୍ର ସହ ୨୧ ତାରିଖରେ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସମସ୍ତ ପ୍ରକାର ପରୀକ୍ଷାନିରୀକ୍ଷା ଠାରୁ ଚିକିତ୍ସା ଯାଏ ସବୁ କିଛି କାର୍ଡରେ ହେବ ବୋଲି ସେମାନଙ୍କୁ କୁହାଯାଇଥିଲା। କିନ୍ତୁ ସେଠାରେ ସିଡିଏମଓଙ୍କ ସ୍ଥାନାନ୍ତର ପତ୍ର କି ରିପୋର୍ଟ ଦେଖିବାକୁ ମନା କରିଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ।

ଏପରିକି ଡାକ୍ତର ଦେଖିବା ଓ ସବୁ ପରୀକ୍ଷାନିରୀକ୍ଷା ପରେ ଆବଶ୍ୟକ ଚିକିତ୍ସା ବେଳକୁ ବିଜୁ କାର୍ଡ କାମରେ ଆସିବ ବୋଲି କୁହାଗଲା। ଏହା ସହ ଡାକ୍ତରୀ ଫି’ ଓ ପରୀକ୍ଷା ବାବଦକୁ ୨୬ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ଡାକ୍ତରଖାନାରେ ଥିବା ସ୍ବାସ୍ଥ୍ୟମିତ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ଫଳ ହୋଇ ନଥିଲା। ସେମାନେ ମଧ୍ୟ ଡାକ୍ତରୀ ଫି’ ଓ ପରୀକ୍ଷା ଖର୍ଚ୍ଚ ନିଜେ ବହନ କରିବାକୁ ପରାମର୍ଶ ଦେଇଥିଲେ। ଏସ୍ଥିତିରେ ଦୂର ଡାକ୍ତରଖାନା କଥା, କେତେବେଳେ କୌଣସି ଜରୁରୀ ସମୟରେ ଆବଶ୍ୟକ ହେବ ବୋଲି ବହୁ କଷ୍ଟରେ ଯୋଗାଡ଼ କରି ଧରିଥିବା ୩୦ ହଜାର ଟଙ୍କାରୁ ୨୬ ହଜାର ଗଣି ଦେଇଥିଲେ ସଙ୍ଗରେ ଯାଇଥିବା ପୁତୁରା ଚନ୍ଦ୍ରମଣି। ପରୀକ୍ଷା ରିପୋର୍ଟ ଆସି ନଥିବା ଓ ହାତରେ ଥିବା ଟଙ୍କା ସରି ଯାଇଥିବାରୁ ହତାଶ ହୋଇ ସ୍ତନକର୍କଟ ଆକ୍ରାନ୍ତ ଚନ୍ଦ୍ରକାନ୍ତିଙ୍କୁ ନେଇ ଗାଁକୁ ଫେରି ଆସିଥିଲେ ପରିବାର। ଏହା ପରେ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ଘରୋଇ ଡାକ୍ତରଖାନା ଗୁରୁତ୍ବ ଦେଉ ନଥିବା ଅଭିଯୋଗ ଉଠିଥିଲା।