ରଣପୁର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରଣପୁର ଅଞ୍ଚଳରେ ପ୍ରାକ ହିଂସା ଦେଖିବାକୁ ମିଳିଛି l ଆଜି ଓଡିଶାର ପ୍ରବାଦ ପୁରୁଷ ଭାବେ ପରିଚିତ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୁତ୍ତମାନେ ଭାଙ୍ଗି ଖଣ୍ଡ ବିଖଣ୍ଡିତ କରିଦେଇଥିବାବେଳେ ଶାସକ ବିଜେଡି ଦଳ ମଧ୍ୟରେ ପ୍ରବଳ ଉଦବେଗ ପ୍ରକାଶ ପାଇବା ସାଙ୍ଗକୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି | ଅଭିଯୋଗ ମୁତାବକ ରଣପୁର ତଳ ମା ମଣିନାଗ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ସ୍ବର୍ଗତ ଶ୍ରୀ ପଟ୍ଟନାୟକଙ୍କ ୨୦୦୬ ମସିହାରେ ସିମେଣ୍ଟ ନିର୍ମିତ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା |

Advertisment

କିନ୍ତୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଉକ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଥିଲେ | ଏହା ଜାଣିବା ପରେ ଅପରାହ୍ନରେ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଓ ସମସ୍ତ କାଉନସିଲର ମିଳିତ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |

ଦଳ ମଧ୍ୟରେ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଏଭଳି ହୀନ କାର୍ଯ୍ୟ କରିଥିବା ନେଇ ଅଞ୍ଚଳରେ ଆଲୋଚନା ହେଉଥିବାବେଳେ ବିରୋଧୀ ଦଳ କର୍ମୀ ଏହା କରିଥାଇପାରନ୍ତି ବୋଲି ବିଜେଡି ମଧ୍ୟରେ ଚର୍ଚ୍ଚା ହେଉଛି l ସେ ଯିଏ ବି ହେଉ ଦୁର୍ବୁତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି, ବିଧାୟକ ଶ୍ରୀ ପ୍ରଧାନ | ଅନ୍ୟଥା ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି |