ବାରିପଦା: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଦଳୀୟ ରାଜନୀତିରୁ ଊର୍ଧ୍ବରେ ରଖାଯାଉ। ଯଦି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଚଢ଼ି ସ୍ଳୋଗାନ୍ ଦେବା କିମ୍ବା ପ୍ଲାକାର୍ଡ ପ୍ରଦର୍ଶନ କରିବା ଦ୍ବାରା ଗିରଫ ହେଉଛନ୍ତି। ତେବେ ଏହି ନିୟମ ସବୁ ରାଜନୈତିକ ଦଳ ପାଇଁ ଲାଗୁ କରାଯାଉବୋଲି ଦାବି କରିଛନ୍ତି ଜେଏମଏମ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ୍।
ଚଳିତ ମାସ ୨୨ରେ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ କଳା ପତାକା ଦେଖାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ଆକ୍ରମଣରେ ଆହତ ହୋଇଥିଲେ ଜେଏମଏମ ଜଣେ କର୍ମୀ। ଏହାର ପ୍ରତିବାଦରେ ଗତ ୨୫ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଗୋଲେଇରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ଆଗରେ ଜେଏମଏମ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଥିଲା। ଏହି ସମୟରେ ଜେଏମଏମର ଦୁଇ ଜଣ ଯୁବ କର୍ମୀ ପ୍ରତିମୂର୍ତ୍ତୀର ସିଡି ଚଢି ସ୍ଲୋଗାନ ଦେଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏନେଇ ବାରିପଦା ଟାଉନ୍ ଥାନା ପୁଲିସ୍ ପକ୍ଷରୁ ୭ ଜେଏମଏମ କର୍ମୀଙ୍କୁ ଗିରଫ କରାଯାଇଥିଲା. ଯାହାକୁ ତୀବ୍ର ବିରୋଧ କରିଛି ଦଳ।
ଏନେଇ ଗତକାଲି ଦଳର ଓଡ଼ିଶା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ୍, ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା, ଜିଲ୍ଲା ସଭାପତି (ପୂର୍ବ) ପ୍ରଭୁଦାନ ମାରାଣ୍ଡି, ଜିଲ୍ଲା ସଭାପତି (ପଶ୍ଚିମ) ରାମଚନ୍ଦ୍ର ହେମ୍ବ୍ରମ ପ୍ରମୁଖ ପୁଲିସ୍ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିଥିଲେ। ଜେଏମଏମ ପକ୍ଷରୁ ବିଜୁ ବାବୁଙ୍କ ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣି ସେହିଦିନ ଅପରାହ୍ନରେ ରାଜସ୍ୱ ମନ୍ତ୍ରୀଙ୍କ ସମେତ ବିଜେଡିର ବହୁ ତୁଙ୍ଗନେତା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ତଳେ ଦଳୀୟ ବ୍ୟାନର ଓ ପତାକା ଲଗାଇ ପ୍ରତିବାଦ ଜଣାଇଥିଲେ। ସେହିପରି ବର୍ଷ ତମାମ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ସ୍ଥଳରେ ବିଜେଡିର ଦଳୀୟ ପତାକା ଲାଗିବାକୁ ବିରୋଧ କରିଛି ଦଳ। ଯଦି ଜେଏମଏମ କର୍ମୀଙ୍କୁ ଗିରଫ କରାଯାଉଛି ତେବେ ବିଜେଡି ନେତା ମନ୍ତ୍ରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିବା ଏବଂ ପ୍ରତିମୂର୍ତୀ ସ୍ଥଳରୁ ସମସ୍ତ ବ୍ୟାନର ପତାକା ହଟାଇବାକୁ ଜେଏମଏମ ଦାବି କରିଛି। ଏହା କରା ନଗଲେ ଆଗକୁ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ପୁଲିସ ଦାୟୀ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/jmm-pic.jpg)