ବିଜୁ ପ୍ରିମିୟର ଲିଗ୍: ପ୍ରଥମ ମ୍ୟାଚରେ କନ୍ଧମାଳ ଓ ଦ୍ୱିତୀୟ ମ୍ୟାଚରେ ଗଂଜାମ ଯୁବ ବିଜେଡି ବିଜୟୀ

ଖୋର୍ଦ୍ଧା : ଖୋର୍ଦ୍ଧା ବିଜୁ ଯୁବ ଜନତା ଦଳ ପକ୍ଷରୁ ଗତକାଲି ଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ବିଜୁ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ନାମେଂଟର ପ୍ରଥମ ମ୍ୟାଚରେ କନ୍ଧମାଳ ଓ ଦ୍ୱିତୀୟ ମ୍ୟାଚରେ ଗଂଜାମ ଯୁବ ବିଜେଡି ବିଜୟୀ ହୋଇଛନ୍ତି ।

ସ୍ଥାନୀୟ ବିଜେବି ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଗଂଜାମ ବିଜୁ ଛାତ୍ର ଜନତା ଓ କନ୍ଧମାଳ ଯୁବ ବିଜେଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କନ୍ଧମାଳ ଦଳ ଟସ୍ ଜିଣି ପ୍ରଥମ ବ୍ୟାଟିଂ କରିଥିଲେ । ଗଂଜାମ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୮୮ ରନ୍ କରିଥିଲେ । ଏହାର ଜବାବରେ କନ୍ଧମାଳ ଦଳ ୧୪.୧ ଓଭରରେ ୭ ୱିକେଟ୍ ବିନିମୟରେ ୮୯ରନ୍ କରି ବିଜୟୀ ଘୋଷିତ ହୋଇଥିଲେ ।

ଦ୍ୱିତୀୟ ମ୍ୟାଚରେ କନ୍ଧମାଳ ବିଜୁ ଛାତ୍ର ଜନତା ଓ ଗଂଜାମ ଯୁବ ବିଜେଡି ପରସ୍ପରକୁ ଭେଟିଥିଲେ । ଗଂଜାମ ଦଳ ଟସ୍ ଜିଣି ନିର୍ଦ୍ଧାରିତ ୧୫ ଓଭରରେ ୧୬୨ରନ୍ କରିଥିଲେ । ଏହି ରନ ଲକ୍ଷ୍ୟକୁ ହାସଲ କରିବାକୁ ଯାଇ କନ୍ଧମାଳ ବିଜୁ ଛାତ୍ର ଜନତା ଦଳ ୮ ୱିକେଟ୍ ହରାଇ ୧୨୪ ରନ୍ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଗଂଜାମ ଯୁବ ବିଜେଡି ଏହି ମ୍ୟାଚରେ ବିଜୟୀ ହୋଇଥିଲା । ମ୍ୟାଚ୍ ଦୁଇଟିକୁ ପ୍ରକାଶ କୁମାର ପଟ୍ଟନାୟକ ଓ ଅନୀଲ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସ୍କୋରର୍ ଭାବେ ଅସିତ କୁମାର ପରିଡ଼ା ସହଯୋଗ କରିଥିଲେ ।
ପୁରସ୍କାର ବିତରଣୀ ଉତ୍ସବରେ ବେଗୁନିଆ ବିଧାୟକ ତଥା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜୁ ଯୁବ ଜନତା ସଭାପତି ରାଜେଶ ପରିଡ଼ା, ଛାତ୍ର ଜନତା ସଭାପତି ବିଶ୍ୱଦୀପ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡ଼ଙ୍ଗା, କାଜଲ ବଳିଆରସିଂହ, ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, ଅସିତ ଶତପଥି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର