ବିଜୁ ପକ୍କା ଘର ଆବଣ୍ଟନକୁ ନେଇ ଆସିଲା ସତ ; ୩ ବର୍ଷରେ ବାଲେଶ୍ବର ଜିଲ୍ଲାକୁ ଗୋଟିଏ ବି ଆସିନି

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ଗତ ୩ ବର୍ଷରେ ଗୋଟିଏ ବି ବିଜୁ ପକ୍କାଘର କାହାରିକୁ ଦିଆଯାଇନାହିଁ। ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷର ରିପୋର୍ଟକୁ ନେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ଗୃହ ନିର୍ମାଣ ଓ ପାନୀୟଜଳ ଯୋଗାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନା। ଗତକାଲି ବିଧାନସଭାରେ ବିଜୁ ପକ୍କା ଘର ନିର୍ମାଣକୁ ନେଇ ପ୍ରଶ୍ନ ଉଠିଥିଲା। ଗତ ୩ ବର୍ଷ ଭିତରେ ରାଜ୍ୟରେ କେତୋଟି ବିଜୁ ପକ୍କା ଘର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ଘର ଆବଣ୍ଟିତ ହୋଇଛି ଏବଂ କେତୋଟି ଘର ସମ୍ପୂର୍ଣ୍ଣ ନିର୍ମାଣ ସରିଛି।

ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜାଣିବାକୁ ଚାହିଁଥିଲେ। ତେବେ ଉତ୍ତର ଦେଇ ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଗତ ୩ଟି ଆର୍ଥିକ ବର୍ଷରେ ଅର୍ଥାତ୍‌ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ରେ ରାଜ୍ୟରେ ମୋଟ ୩ ହଜାର ୩୦୯ ଜଣ ହିତାଧୀକାରୀଙ୍କୁ ବିଜୁ ପକ୍କା ଘର ଆବଣ୍ଟିତ କରାଯାଇଛି। ଆବଣ୍ଟିତ ହୋଇଥିବା ଘର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୮୦ଟି ଘର ସମ୍ପୂର୍ଣ୍ଣ ନିର୍ମାଣ ସରିଥିବା ବେଳେ ଆଉ ବଳକା ୨ ହଜାର ୯୨୯ଟି ଘର ଅସମ୍ପୂର୍ଣ୍ଣ ରହିଛି। ଯାହାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ। ତେବେ ଉକ୍ତ ତାଲିକାରେ ବାଲେଶ୍ବର ଜିଲ୍ଲାକୁ ଗତ ତିନିବର୍ଷରେ ଗୋଟିଏ ବି ବିଜୁ ପକ୍କା ଘର ପ୍ରଦାନ କରାଯାଇନଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର