ବାଇକ ଦୁର୍ଘଟଣାରେ ୨ ମୃତ, ୨ ଆହତ

ନବରଙ୍ଗପୁର: ନବରଙ୍ଗପୁର ଥାନା ଅନ୍ତର୍ଗତ ନୂଆ ପୂଜାରୀଗୁଡା ଛକ ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଓ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସଂଧ୍ୟା ୭ଟା ବେଳେ ତେନ୍ତଳିଖୁଣ୍ଟି ଥାନା ଅନ୍ତର୍ଗତ ତୁରୁଞ୍ଜି ନିକଟସ୍ଥ ଡମୁନାୟକକୁଡା ଗ୍ରାମର ପଦଲାମ ନାୟକ, ଗଙ୍ଗାଧର ଭତ୍ରା ଓ ଉର୍ମିଳା ଭତ୍ରା ଗୋଟିଏ ବାଇକରେ କାମ ସାରି ନବରଙ୍ଗପୁରରୁ ତାଙ୍କ ଗାଁ ଅଭିମୁଖେ ବାହାରିଥିଲେ। ବିପରୀତ ଦିଗରୁ ତୁରୁଞ୍ଜି ଅଞ୍ଚଳର କ୍ଷୀରସିନ୍ଧୁ ଭତ୍ରା(୩୮) ତୁରୁଞ୍ଜିରୁ ନବରଙ୍ଗପୁର ଅଭିମୁଖେ ଆସୁଥିଲେ। ନୂଆ ପୂଜାରୀଗୁଡା ଛକ ନିକଟରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କ୍ଷୀରସିନ୍ଧୁ ଭତ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ବାଇକ ଆରୋହୀ ପଦଲାମ ଓ ଗଙ୍ଗାଧର ଆହତ ହୋଇଥିଲେ।

ସ୍ଥାନୀୟ ବାସିନ୍ଦା ୧୦୮ ଆମ୍ବୁଲାନସ ଯୋଗେ ସମସ୍ତ ଆହତମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ। ପଦଲାମ ଗୁରୁତର ଭାବେ ଆହତ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ତେବେ ଗଙ୍ଗାଧରଙ୍କ ମୁଣ୍ଡକୁ ଆଘାତ ଲାଗିଥିବାରୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ନବରଙ୍ଗପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର ସହ ୨ଟି ବାଇକ ଜବତ କରି ତଦନ୍ତ ଚଳାଇଛି l ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି |

ସେହିପରି ଗତକାଲି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସିଂହପୁର ଗ୍ରାମର ଅଦୈତ ସାମଲଙ୍କ ପୁଅ ଅଲୋକ ସାମଲ(୩୫) ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସ୍ଵର୍ଗତ ସାମଲ ଭୁବନେଶ୍ଵରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଶନିବାର ବିଳମ୍ଵିତ ରାତିରେ ଭୁବନେଶ୍ଵରରୁ ସିଂହପୁର ଘରକୁ ଆସୁଥିବା ବେଳେ ଟାଙ୍ଗି ନିକଟରେ ଅଜଣା ଗାଡ଼ି ଧକ୍କାରେ ଆଲୋକଙ୍କର ମୃତ୍ୟୁ ହୋଇଥିଲା।

ଟାଙ୍ଗି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଟକରେ ଶବ ବ୍ୟବଚ୍ଛେଦ କରାଇଛି। ଖବର ପାଇ ପରିବାର ଲୋକ ସେଠାରେ ପହଞ୍ଚିଥିବା ଜଣାଯାଇଛି। ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର