ଦୁଇ ବାଇକ ମୁହାଁମୁହିଁ ଧକ୍କା, ତିନି ଜଣ ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଂଚାୟତର କରଲାମାଲ ପୋଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣ ଗୁରୁତର ଥିବା ଜଣାପଡିଛି। ତିନି ଜଣ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଇଛାପୁର ଗ୍ରାମର ରଘୁ ଜାନୀ ଆଜି ନିଜର ବାଇକ (ସିଜି ୧୭ କେବି ୫୨୭୮) ରେ ଗାଁର ମନୁ ମାଝୀଙ୍କୁ ନେଇ କରଲାମାଲ ଗାଁରୁ କାମ ସାରି ଘରକୁ ଫେରୁଥିଲେ |

ଅନ୍ୟପଟୁ ଇଛାପୁର ଗ୍ରାମର ବଳଭଦ୍ର ମାଝି ଓ ନରସିଂହ ପୂଜାରୀ ଏକ ବାଇକ (ସିଜି-୪ ଏମ ୪୫୬୦) ଯୋଗେ ଘରକୁ ଫେରୁଥିଲେ | ତେବେ ଉଭୟ ଗାଡି କରଲାମାଲ ନିକଟସ୍ଥ ଝଡାଧରା ନଦୀ ନିକଟରେ ଆଜି ଦିନ ୧୨ଟା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ୪ ଜଣ ଆରୋହୀ ରାସ୍ତା କଡ଼ରେ ଛିଟିକି ପଡିଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣାକୁ ଦେଖି ଆମ୍ବୁଲାନ୍ସକୁ ଫୋନ କରିଥିଲେ।

ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ତେବେ ଦୁର୍ଘଟଣା ଯୋଗୁଁ ରଘୁ ଜାନୀ ଓ ମନୁ ମାଝୀର ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାବେଳେ ବଳଭଦ୍ର ମାଝୀଙ୍କର ବାମ ଗୋଡ଼ ଓ ହାତ ଭାଙ୍ଗି ଯାଇଥିଲା। ଝରିଗାଁ ଗୋଷ୍ଠୀ ଚିକିତ୍ସକ ପ୍ରକାଶ ନାୟକ ଏବଂ ଡ଼ ସନ୍ତୋଷ ପ୍ରଧାନ ପ୍ରାଥମିକ ଚିକିତ୍ସା ପରେ ତିନି ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରୁ ମଧ୍ୟ କୋରାପୁଟ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି |

ସମ୍ବନ୍ଧିତ ଖବର