ପୋଲ ତଳକୁ ଖସିପଡ଼ି ବାଇକ ଆରୋହୀଙ୍କ ମୃତ୍ୟୁ

ବୈପାରିଗୁଡା: ପୋଲ ତଳକୁ ଖସିପଡ଼ି ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ। ସୂଚନାଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ଗାଦବାଗୁଡାର ଧନ ଆଲଜାନ (୪୦) ଗତକାଲି କାଠପଡା ପଞ୍ଚାୟତର ଡୁମୁରିଗୁଡା ଗ୍ରାମକୁ ନିଜ ଶ୍ଵଶୁର ଘରକୁ ବୁଲିବା ପାଇଁ ଯାଇଥିଲେ। ତେବେ ସେ ସନ୍ଧ୍ୟା ପରେ ନିଜ ଗ୍ରାମକୁ ଫେରୁଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ସରନ୍ଦାଯୋଡି ନିକଟରେ ଏକ ପୋଲ ତଳକୁ ବାଇକ ସହ ଖସି ପଡ଼ିଥିଲେ। ଆଜି ସକାଳୁ ମନ୍ତୀଆମ୍ବ ସ୍ଥିତ ବିଏସଏଫ ଯବାନ ମାନେ କୁମ୍ବିଂ ଅପରେଶନରେ ବାହାରି ଥିବାବେଳେ ଧନ ଆଲଜନର ଶବକୁ ପୋଲ ତଳେ ପଡିଥିବା ଦେଖିବାକୁ ପାଇଥିଲେ।

ଶବ ନିକଟରେ ତାଙ୍କ ହିରୋ ଡିଲେକ୍ସ ଓଡିଇ ୧୭୯୪ ନମ୍ବର ବିଶିଷ୍ଟ ବାଇକ ମଧ୍ୟ ପଡ଼ିଥିଲା। ବୈପାରିଗୁଡା ପୁଲିସକୁ ସୂଚନା ଦେବା ପରେ ପୁଲିସ ଏସ୍ଆଇ ବିଷ୍ଣୁ ପ୍ରସାଦ ଶବର ଘଟଣାସ୍ଥଳରେ ପହଞ୍ଚି ଧନର ଶବ ଏବଂ ବାଇକ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଅଶ୍ଵିନୀ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର