ବାଇକ୍‌କୁ ଧକ୍କା ଦେଲା ଟ୍ୟାଙ୍କର୍‌: ୧ ମୃତ, ୧ ଗୁରୁତର

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଟ୍ୟାଙ୍କର୍‌ ପଛପଟୁ ବାଇକ୍‌କୁ ଧକ୍କା ଦେବାରୁ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛନ୍ତି। ତେବେ ଦୁର୍ଘଟଣାର ଶିକାର ଦୁଇ ଯୁବକଙ୍କ ପରିଚୟ ମିଳିପାରିନାହିଁ।

ଆଜି ଅପରାହ୍ନ ପ୍ରାୟ ୫ଟା। ଏକ ସ୍କୁଟି(ଓଡି-୧୪-ଆର୍‌-୮୯୧୭)ରେ ଦୁଇ ଜଣ ମଧ୍ୟବୟସ୍କ ଯୁବକ ବେଦବ୍ୟାସ ଆଡ଼କୁ ଯାଉଥିଲେ। ଏହି ସମୟରେ ସମାନ ଦିଗକୁ ଯାଉଥିବା ଏକ ଟ୍ୟାଙ୍କର(ଡବ୍ଲ୍ୟୁବି-୭୮-୪୮୯୭) ପଛପଟୁ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥି‌ବାବେଳେ ଅନ୍ୟ ଆରୋହୀ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକ ଦୁର୍ଘଟଣା ବିଷୟରେ ଖବର ପାଇଁ ଆମ୍ବୁଲାନ୍‌ସ ସହାୟତାରେ ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)କୁ ଆଣିଥିଲେ। ଆର୍‌ଜିଏଚ୍‌ରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଗୁରୁତର ଆହତଙ୍କୁ ଆର୍‌ଜିଏଚ୍‌ରେ ଚିକିତ୍ସା କରାଯାଉଛି। ମୃତ ଦେହ ଆର୍‌ଜିଏଚ୍‌ ମର୍ଗ ହାଉସ୍‌ରେ ଅଛି। ବ୍ରାହ୍ମଣୀତରଙ୍ଗ ପୁଲିସ ମୃତକଙ୍କ ପରିଚୟ ଖୋଜିବାକୁ ଛାନଭିନ୍‌ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର