ମୟୂରଭଞ୍ଜ: ଆଦିବାସୀ ବହୁଳ ତଥା ବଣ ପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବିଭିନ୍ନ ଭୌଗୋଳିକ ପ୍ରତିବନ୍ଧକ ରହିଛି ।ତେଣୁ ଲୋକଙ୍କ ଦୁଆର ମୁହଁରେ ଜରୁରିକାଳୀନ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏକ ଆହ୍ୱାନ ହୋଇଥାଏ | ଏବେ ଏହି ସମସ୍ୟାର ସମାଧାନ ହୋଇପାରିଛି "ବାଇକ୍ ଆମ୍ବୁଲାନ୍ସ' । ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍ସି) ସହାୟତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେଏହି "ବାଇକ୍ ଆମ୍ବୁଲାନ୍ସ' ସେବା ଚାଲିଛି । ଭୌଗୋଳିକ ପ୍ରତିବନ୍ଧକ ଥିବା ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକ୍ ପାଇଁ ୧ଟି କରି ମୋଟ ୪ଟି ଆମ୍ବୁଲାନ୍ସ ରହିଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଏହି ଆମ୍ବୁଲାନ୍ସ ସେବା ପରିଚାଳନା କରାଯାଉଛି । ମୟୂରଭଞ୍ଜ ଜିଲ୍ଲାରେ ୨୦୨୧ରୁ ଏହି "ବାଇକ୍ ଆମ୍ବୁଲାନ୍ସ' ସେବା ଚାଲିଛି ।

Advertisment

publive-image

ମୁଖ୍ୟତଃ ଯେଉଁ ସ୍ଥାନରେ ବଡ଼ ଆମ୍ବୁଲାନ୍ସ ଯିବାରେ କୌଣସି ସମସ୍ୟା ରହିଛି ସେଠାରେ ବାଇକ୍ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେଉଛି । ଏହା ଦ୍ୱାରା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ୫ ହଜାରରୁ ଅଧିକ ରୋଗୀ ସେବା ପାଇଛନ୍ତି । ତା'ଭିତରେ ବରିଷ୍ଠ ନାଗରିକ, ଗର୍ଭବତୀ ମା', ଶିଶୁ ଓ ସଡ଼କ ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତି ବିଶେଷ ଉପକୃତ ହେଉଛନ୍ତି । ବାଇକ୍ ଆମ୍ବୁଲାନ୍ସଗୁଡ଼ିକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଯୋଡ଼ା ଯାଇଛି । ଏଥିରେ ଜଣେ ଲେଖାଏଁ ଡ୍ରାଇଭର ନିୟୋଜିତ ହୋଇଛନ୍ତି । ଆଖ ପାଖ ଗାଁରେ କୌଣସି ଲୋକଙ୍କର ଜରୁରିକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସ୍ଥାନୀୟ ଆଶା କର୍ମୀ ବାଇକ୍ ଆମ୍ବୁଲାନ୍ସକୁ ଫୋନ କରିଥାନ୍ତି । ଦୁଆର ମୁହଁରୁ ରୋଗୀଙ୍କୁ ଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ପରେ ପୁଣି ଘର ପାଖରେ ଆଣି ଛାଡ଼ିଥାଏ ବାଇକ୍ ଆମ୍ବୁଲାନ୍ସ ।