ତାଲା ବନ୍ଦ ସମୟରେ ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଛି ପ୍ରସବ ଯାନ ଓ ବାଇକ୍ ଆମ୍ବୁଲାନ୍ସ

ଫୁଲବାଣୀ: ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ମହାମାରୀ କରୋନା ଭୂତାଣୁ ଭାରତ ବର୍ଷରେ ମଧ୍ୟ କାୟା ବିସ୍ତାର କରି ଅଦ୍ୟାବଧି ୬୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମଣ କରିବା ସହ ୨୦୦ରୁ ଅଧିକ ଜୀବନ ନେଇ ସାରିଛି । ଏହି ଭୂତାଣୁର ମୁକାବିଲା ପାଇଁ ସମସ୍ତ ରାଜ୍ୟ ତାଲା ବନ୍ଦ ପଦକ୍ଷେପ ଆପଣେଇ ନେଇଛନ୍ତି । ସମଗ୍ର ଓଡ଼ିଶାରେ ଗତ ମାର୍ଚ୍ଚ ୨୫ ତାରିଖଠାରୁ ତାଲାବନ୍ଦକୁ କାର୍ଯ୍ୟକାରୀ କରାଯାଇ ଆସୁଅଛି । ଏଥିଯୋଗୁଁ ସମସ୍ତ ଅନୁଷ୍ଠାନ ପ୍ରଭାବିତ ହେବା ସହ ସାଧାରଣ ଜନତା ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିରୁ ସ୍ୱାସ୍ଥ୍ୟ ସେବା ମଧ୍ୟ ବାଦ୍ ପଡ଼ିନି ।

ଏହି ପରିପ୍ରେକ୍ଷୀ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ସହଯୋଗରେ ପ୍ରଚଳିତ ହେଉଥିବା ପ୍ରସବ ଯାନ ଓ ବାଇକ୍ ଆମ୍ବୁଲାନ୍ସ କିନ୍ତୁ ତାଙ୍କର ସେବାକୁ ଅନବରତ ଜାରି ରଖିଛନ୍ତି । ଏଥିରେ କାର୍ଯ୍ୟରତ ଡ୍ରାଇଭର ରମେଶ ଦିଗାଲ, ରିଙ୍କୁ ଦିଗାଲ, ଷ୍ଟାଫ୍ ନର୍ସ ମନିସା ସାହୁ, ମୁକ୍ତିଲତା ପ୍ରଧାନ, ରିତୁମା ପ୍ରଧାନ ଓ ଆଟେଣ୍ଡାଂଟ୍ ଅମ୍ବିକା ପ୍ରଧାନ, ରାମେଶ୍ୱରୀ ଦିଗାଲ ସେମାନଙ୍କ ସଂକ୍ରମଣ ପ୍ରତି ଥିବା ଆଶଙ୍କା ଓ ଭୟକୁ ପଛରେ ପକାଇ ଅନବରତ ଗର୍ଭବତୀ ମା’ମାନଙ୍କର ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଏହି ସମୟର ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଓଡ଼ିଶାରେ ତାଲା ବନ୍ଦ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ପ୍ରସବ ଯାନ ମାଧ୍ୟମରେ ମୋଟ ୫୦ ଗୋଟି ସୁରକ୍ଷିତ ପ୍ରସବ କରାଯାଇ ପାରିଛି । ସେଥିମଧ୍ୟରୁ ସଙ୍କଟପୂର୍ଣ୍ଣ ଅବସ୍ଥାରେ ଥିବା ୭ଜଣ ଗର୍ଭବତୀଙ୍କର ପ୍ରସବ ଏହି ପ୍ରସବ ଯାନ ମଧ୍ୟରେ ଦାୟିତ୍ୱରେ ଥିବା କର୍ମକର୍ତାଙ୍କ ଦ୍ୱାରା କରାଯାଇ ୧୪ଟି ଜୀବନକୁ ସୁରକ୍ଷିତ କରାଯାଇପାରିଛି । ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମସ୍ତ ଗର୍ଭବତୀଙ୍କୁ ଅଣାଯାଇଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ଥିବା ୧୫ଜଣ ଗର୍ଭବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଂଚାଇ ସୁରକ୍ଷିତ ପ୍ରସବକୁ ସୁନିଶ୍ଚିତ କରାଯାଇପାରିଛି ।

ସେହିପରି ସାଡିଙ୍ଗିଆ ଭଳି ଦୁର୍ଗମ ଅଂଚଳରେ ଗରୁଡ଼ ଦିଗାଲଙ୍କ ତତ୍ୱାବଧାନରେ କାର୍ଯ୍ୟରତ ବାଇକ୍ ଆମ୍ବୁଲାନ୍ସର ଚାଳକ ମାଧ୍ୟମରେ ଏହି ତାଲା ବନ୍ଦ ସମୟ ମଧ୍ୟରେ ମୋଟ ୧୭ ଜଣଙ୍କୁ ସେବା ଯୋଗାଇ ଦିଆଯାଇଥିବା ବେଳେ ସେଥିରୁ ୧୪ ଜଣ ଗର୍ଭବତୀଙ୍କର ସୁରକ୍ଷିତ ପ୍ରସବକୁ ସୁନିଶ୍ଚିତ କରିବା ସହ ୨ ଜଣ ଶିଶୁ ଓ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ସେବା ଯୋଗାଇ ଦିଆଯାଇଛି । ଏହି ସେବା ଯୋଗାଇବା ସମୟରେ ତାଲା ବନ୍ଦ ଯୋଗୁଁ ଛୋଟମୋଟ ଅସୁବିଧାକୁ ଛାଡ଼ିଦେଲେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ମିଳିଆସୁଛି । ତାଲାବନ୍ଦ ସମୟରେ ବାଇକ୍ ଆମ୍ବୁଲାନ୍ସ ଓ ପ୍ରସବ ଯାନର ଏଭଳି ନିରବଚ୍ଛିନ୍ନ କାର୍ଯ୍ୟକୁ ଜାରୀ ରଖିବା ପାଇଁ ସାଧାରଣରେ ଅନୁରୋଧ କରାଯାଉଛି ।

ସମ୍ବନ୍ଧିତ ଖବର