୬୫୦୦ ଟଙ୍କା ସମେତ ବାଇକ୍‌ ଓ ୨୬ ଚୋରି ମୋବାଇଲ ଫୋନ ଜବତ, ଲୁଟେରା ଗିରଫ

ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ପୁଲିସ ମୋବାଇଲ ଚୋରି ମାମଲାରେ ଏକ ବଡ଼ ଗ୍ୟାଙ୍ଗର ଜଣେ କୁଖ୍ୟାତ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲା କ୍ୟାପିଟାଲ ଥାନା ଅଧୀନ ବାପୁଜିନଗର କେଦାର ପଲ୍ଲୀ ବସ୍ତିରେ ରହୁଥିବା ସିଲୁ ଓରଫ ପ୍ରଭାତ ମୁଖି (୩୨) । ସିଲୁଠାରୁ ଧଉଳି ଥାନ ପୁଲିସ ୨୬ଟି ଚୋରି ମୋବାଇଲ ଫୋନ, ଏକ ମଟରସାଇକେଲ ଏବଂ ଗ୍ରାହକଙ୍କୁ ଚୋରି ମୋବାଇଲ ଫୋନ ବିକ୍ରିକରି ପର୍ସରେ ଏକ ପର୍ସରେ ରଖିଥିବା ୬୫୦୦ ଟଙ୍କା ଜବତ କରିଛି । ତେବେ ଏହି ଗ୍ୟାଙ୍ଗରେ ସଂପୃକ୍ତ ଅନ୍ୟ ସହଯୋଗୀମାନଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ । ଏନେଇ ନଂ ୫୨/୨୧ ରେ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ ଚଳାଇଛି । କୋର୍ଟରେ ଜାମିନ ନାମଂଜୁର ହେବାରୁ ସିଲୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ପୁଲିସ ସୂଚନା ମୁତାବକ ସିଲୁ ଜଣେ ପେସାଦାର ମୋବାଇଲ ଫୋନ ଲୁଟେରା । କେଦାର ପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିବା ଲୁଟେରାଙ୍କ ଠାରୁ ସେ ଚୋରା ମୋବାଇଲ ଫୋନ ସଂଗ୍ରହ କରି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ପହଞ୍ଚି ପର୍ଯ୍ୟଟକମାନଙ୍କୁ ମୋବାଇଲ ଫୋନ ବିକ୍ରି କରେ । ରାସ୍ତା ଘାଟରେ ଯାଉଥିବା ଅଜଣା ଅଚିହ୍ନା ଲୋକମାନଙ୍କ ସହ ମୁଲଚାଲ କରି ମୋବାଇଲ ଫୋନ ବିକ୍ରି କରେ । ବହୁ କମ ପଇସାରେ ଦାମୀ ମୋବାଇଲ ଫୋନ ଗୁଡ଼ିକୁ ବାହାର ଅଞ୍ଚଳର ଲୋକଙ୍କୁ ବିକ୍ରି କରିଥାଏ ।

ଗତ ୩୦ ତାରିଖ ଅପରାହ୍ନ ସାଢ଼େ ୪ଟା ସମୟରେ ସିଲୁ ଧଉଳି ହାତୀପାର୍କ ନିକଟରେ ପର୍ଯ୍ୟଟକମାନଙ୍କୁ ଚୋରି ମୋବାଇଲ ଫୋନ ବିକ୍ରି କରିବାକୁ ମୁଲଚାଲ କରୁଥିବା ସଂପର୍କରେ କେହି ଧଉଳି ଥାନାକୁ ଫୋନ କରି ଜଣାଇଥିଲା । ଖବର ପାଇ ପୁଲିସ ପହଞ୍ଚି ସିଲୁକୁ ଥାନାକୁ ଆଣି ପଚରାଉଚରା କରିବାରୁ ତା’ ନିକଟରୁ ୨୬ଟି ଚୋରି ମୋବାଇଲ ଫୋନ, ଉପରୋକ୍ତ ଟଙ୍କା ଓ ମଟର ସାଇକେଲକୁ ଜବତ କରିଥିଲା ।

ସମ୍ବନ୍ଧିତ ଖବର