ମିନି ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଅଁରପାଳ/ଅନୁଗୁଳ: ମିନି ଟ୍ରକ ଧକାରେ ବୁଧବାର ଅପରାହ୍ନରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ହେଲେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମର ଜୀବନ ସାହୁ (୨୫)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଥିଲେ। ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଯାତାୟତ ପ୍ରଭାବିତ ହୋଇଥିଲା। ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା।

ସୂଚନା ଅନୁସାରେ ଜୀବନ ଆଜି ଅପରାହ୍ନ ପ୍ରାୟ ୨ଟାରେ ଭୋଜୀ ଖାଇ ସାରି ଏକ ବାଇକ୍‌ (ଓଡି ୦୬ବି ୫୮୧୧)ରେ ଘରକୁ ଫେରୁଥିଲେ। ଫେରିବା ବାଟରେ ମହୀଧରପୁର ଗ୍ରାମପଂଚାୟତର ମାଧିଆମୁଣ୍ଡା ପୋଖରୀ ନିକଟରେ ତାଙ୍କୁ ଦେବଗଡ଼ରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ଏକ ମିନି ଟ୍ରକ୍‌ (ଓଆର ୨୮ ୧୩୩୦) ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜୀବନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଚାଳକ ଟ୍ରକ୍‌କୁ ରାସ୍ତାକଡ଼ରେ ରଖି ଦେଇ ଫେରାର ହୋଇଯାଇଥିଲା। ସୂଚନା ପାଇ ବଅଁରପାଳ ଆଇଆଇସି ସୁନିଲ କୁମାର କର ଓ ମହୀଧରପୁର ଫାଣ୍ଡି ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଘଟଣାସ୍ଥଳକୁ ପହଂଚିଥିଲେ। ସେମାନେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ବନ୍ଦ ହୋଇଥିଲା।

ସମ୍ବନ୍ଧିତ ଖବର