ବାଇକ୍‌ ଓ କାର ମୁହାଁମୁହିଁ ଧକ୍କା, ଶିକ୍ଷକ ମୃତ

ଦେବଗଡ଼ : କାର ଓ ବାଇକ୍‌  ମୁହାଁମୁହିଁ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ବ୍ଲକ ଅନ୍ତର୍ଗତ ବସାଲଇ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ରବିନାରାୟଣ ସାହୁ ଓ ସେହି ସ୍କୁଲର ପିଇଟି ମାନସ ରଂଜନ ଦାଶ ସ୍କୁଲ ସାରି ରବିବାର ଅପରାହ୍‌ଣରେ ବାଇକ୍‌ରେ(ଓଡି-୨୮ଏ-୨୧୩୨) ଦେବଗଡ଼ ଅଭିମୁଖେ ଫେରୁଥିବାବେଳେ ବସାଲଇ ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବରଯାତ୍ରୀ କାର(ଓଡି-୧୪-କ୍ୟୁ-୭୯୫୦) ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାଟି ଏତେ ପ୍ରଚଣ୍ଡ ଥିଲା ଯେ ବାଇକର ଆଗ ଚକଟି କାରର ଆଗପଟେ କିଛି ବାଟ ଭିତରକୁ ପଶିଯାଇଛି ।  ଘଟଣାସ୍ଥଳରେ ହିଁ ଶିକ୍ଷକ ରବିନାରାୟଣଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ମାନସଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟିବା ପରେ କାର ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି । ଖବରପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର