ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ମୋଟରସାଇକେଲ ଚୋରି: ଘୁରୁଛି ସିସିଟିଭି ଫୁଟେଜ୍, ହାତବାନ୍ଧି ବସିଛି ପୁଲିସ

ଖୋର୍ଦ୍ଧା: ପୁଣି କିଛି ଦିନ ବ୍ୟବଧାନରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ମୋଟରସାଇକେଲ ଚୋରଙ୍କ ପ୍ରାଦୃର୍ଭାବ ଦେଖିବାକୁ ମିଳିଛି। ପାଚେରୀ ନିର୍ମାଣ ପରେ ସେଠାରେ ସୁରକ୍ଷା ପାଇଁ ନିୟୋଜିତ ଥିବା ପୁଲିସ ଧୀମେଇ ପଡ଼ିଥିବାରୁ ପୁଣି ଦୁର୍ବୃତ୍ତଙ୍କ ଆଡ୍ଡା ଜମିବା ଆରମ୍ଭ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରୁ ମୋଟରସାଇକେଲ ଚୋରି ହେଉଥିବାର ଭିଡିଓ ଗତ ଦୁଇଦିନ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଆଜି ଏହି ଚୋରି ୨୭ ତାରିଖରେ ଚିକିତ୍ସାଳୟ ପରିସରରେ ହୋଇଥିବା ଚୋରି ବୋଲି ଜଣାଯାଇଛି। ତେବେ ଚୋରି ଓ ଚୋରର ସିସିଟିଭି ଫୁଟେଜ ଚାରିଆଡ଼େ ବୁଲୁଥିବା ବେଳେ ଖୋର୍ଦ୍ଧା ଟାଉନ ଥାନା ପୁଲିସ କିଭଳି ଚୋରଙ୍କୁ ଧରିପାରୁନାହିଁ ସେନେଇ ଆଲୋଚନା ଜୋରଧରିଛି।

ସୂଚନାନୁସାରେ, ୨୬ ତାରିଖରେ ଡେଲାଙ୍ଗ ଥାନା ଗୋଦା ସାହିର ହିମାଂଶୁ ଶେଖର ବିଶ୍ୱାଳ ନିଜର ପତ୍ନୀଙ୍କ ପ୍ରସବ ପାଇଁ ଖୋର୍ଦ୍ଧା ଚିକିତ୍ସାଳୟକୁ ଆସିଥିଲେ। ୨୭ ତାରିଖ ରାତି ପ୍ରାୟ ୮ଟାରେ ପାର୍କିଂ ସ୍ଥାନରେ ସେ ମୋଟରସାଇକେଲଟି ରଖି ତାଙ୍କ ପତ୍ନୀଙ୍କୁ ଖାଦ୍ୟ ଦେବାକୁ ଯାଇଥିଲେ। ପ୍ରାୟ ଦେଢ଼ ଘଣ୍ଟା ପରେ ସେଠାରୁ ଫେରି ଦେଖିବା ବେଳେ ମୋଟରସାଇକେଲଟି ନଥିଲା। ତେବେ ପରବର୍ତ୍ତୀ ସମୟରେ ସାମାଜିକ ଗଣମାଧ୍ୟମରେ ମୋଟରସାଇକେଲ ଚୋରିର ସିସିଟିଭି ଭିଡ଼ିଓ ବୁଲିବା ପରେ ସେ ଏହାକୁ ନିଜର ମୋଟରସାଇକେଲ ବୋଲି ଜାଣିବାକୁ ପାଇଥିଲେ। ତେବେ ଚିକିିତ୍ସାଳୟର ପାର୍କିଂ ସ୍ଥାନରେ ସୁରକ୍ଷାକର୍ମୀ, ପୁଲିସକର୍ମୀଙ୍କ ମହଜୁଦ ସମୟରେ ଏଭଳି ଗାଡ଼ି ଚୋରି ହେବା ଓ ସମସ୍ତ ପ୍ରମାଣ ଥାଇ ମଧ୍ୟ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ପୁଲିସର ଭୂମିକାକୁ ସନ୍ଦେହ ଘେରକୁ ଆଣିଛି। ଚିକିତ୍ସାଳୟରେ ରୋଗୀ ଓ ସମ୍ପର୍କୀୟଙ୍କ ଧନଜୀବନ ପୁଣିଥରେ ବିପଦଗ୍ରସ୍ତ ହେବା ପୂର୍ବରୁ ପୁଲିସ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର