ବାଇକ୍ ଦୁର୍ଘଟଣାରେ ଯୁବକ ମୃତ, ଜଣେ ଆହତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଧାମନାଗୁଡ଼ା ଓ ସରାଗୁଡ଼ା ଗ୍ରାମ ମଧ୍ୟ ଏକ ବୁଲାଣିରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ୪ଟାରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛି। ମୃତ ଯୁବକ ଜଣକ ଜୟପୁର ସହର ବାଲିପଟା ସାହିରର ମନୋଜ ସାହୁ (୩୨) ବୋଲି ଜଣାପଡିଛି। ଖବର ପାଇ ଡାବୁଗାଁ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଶବ ଜବତ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଜୟପୁର ସହର ବାଲିପଟା ସାହିର ଶିବ ସାହୁଙ୍କ ପୁଅ ମନୋଜ ସାହୁ (୩୨) ଓ ତାଙ୍କର ସାଥୀ ସତ୍ୟପ୍ରିୟ ପ୍ରଧାନ (୨୭) ଆଜି କୌଣସି କାର୍ଯ୍ୟରେ ଜୟପୁର ରୁ ଉମରକୋଟକୁ ଏକ ବାଇକରେ ଯାଇଥିଲେ। ଉମରକୋଟରେ କାର୍ଯ୍ୟ ସରିବା ପରେ ଅପରାହ୍ନରେ ପୁଣି ଜୟପୁରକୁ ଫେରିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଧାମଣାଗୁଡ଼ା ଓ ସରାଗୁଡ଼ା ଗ୍ରାମ ମଧ୍ୟ ଏକ ବୁଲାଣିରେ ଭାରସାମ୍ୟ ହରାଇଥିଲେ। ସେମାନେ ରାସ୍ତା ପାର୍ଶ୍ବ ଏକ ଗଛରେ ପିଟି ହୋଇଯିବାରୁ ଛିଟିକି ପଡ଼ିଥିଲେ। ଏଥିରେ ମନୋଜ ସାହୁଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଆହତଙ୍କୁ ନିକଟ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ମନୋଜ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ମନୋଜ ସାହୁଙ୍କ ସାଥୀ ସାମାନ୍ୟ ଆହତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଡାବୁଗାଁ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର