ଛତ୍ରପୁର: ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣିମାରେ ଜୁଆ ଖେଳିବା ଏବଂ ଆଇପିଏଲ୍ ବ୍ୟାଟିଂ ଲାଗି ଯୁବକମାନେ ହଜାର ହଜାର ଟଙ୍କା ଧାରଉଧାର କରିଛନ୍ତି । ଯେତେବେଳେ ସେମାନଙ୍କୁ ହାତ କରଜ ଦେଇଥିବା ବ୍ୟକ୍ତିମାନେ ଯୁବକମାନଙ୍କୁ ଉଧାର ଟଙ୍କା ମାଗନ୍ତି ସେତେବେଳ ଯୁବକମାନେ ଲୁଚିଥାନ୍ତି । ଉକ୍ତ ଟଙ୍କାକୁ କିପରି କରଜ ମୁକ୍ତ ହେବେ ସେଥିଲାଗି ଜୁଆ ଖେଳ ଏବଂ ଆଇପିଏଲ୍ ବ୍ୟାଟିଂ ଲଗାଇ ହାରିଥିବା ଯୁବକମାନେ ନାହିଁ ନଥିବା ଅସାମାଜିକ କାର୍ଯ୍ୟର ସଂସ୍ପର୍ଶରେ ଆସିଥାନ୍ତି । ରାହାଜାନି ଠାରୁ ଆରମ୍ଭ କରି ଚୋରି ଭଳି ଅପରାଧ ଜନିତ କାର୍ଯ୍ୟ କରିବାକୁ ପଛାଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଥାନା ଅଳରେ ଏଭଳି ଘଟଣାକୁ ତୀକ୍ଷ୍‌ଣ ନଜର ରଖିବାକୁ ଥାନା ଅଧିକାରୀମାନଙ୍କୁ ଗଞ୍ଜାମ ଏସ୍‌ପି ବ୍ରିଜେଶ୍ କୁମାର ରାଏ ନିର୍ଦ୍ଦେଶ ଜାରି କରିଛନ୍ତି ।

Advertisment

ଏହି ପରିପ୍ରେକ୍ଷୀରେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ପଇଁତରା ଲଗାଇଥିଲେ । ଏହା ମଧ୍ୟରେ ଜଣେ ବାଇକ୍ ଚୋରକୁ ପୁଲିସ ଧରିବାରେ ସଫଳ ହୋଇଥିଲା । ଗତ ୩୧ ତାରିଖରେ ବଡରେଡ୍ଡୀସାହି ସ୍ଥିତ ଶିବ ମନ୍ଦିର ନିକଟରେ ଚୋରି ହୋଇଥିବା ଓଡି୦୭ଏବି-୨୭୦୧ ନମ୍ବର ଏକ ନୂଆ ବାଇକ୍‌କୁ ଆଜି ପୁଲିସ ଉଦ୍ଧାର କରିଥିଲା । ଚୋରି ହୋଇଥିବା ବାଇକ୍‌ଟି ରେଳ ଷ୍ଟେସନ ନିକଟ ଏକ ଇଟାଭାଟି ନିକଟ ଲଟାବୁଦାରେ ଲୁଚାଇ ରଖିଥିବା ନେଇ ଅଭିଯୁକ୍ତ ପୁଲିସକୁ ସୂଚନା ଦେଇଥିଲା ।