କାଳିଆପାଣି: ସୁକିନ୍ଦା ଥାନା ଜାତୀୟ ରାଜପଥ-୫୩ ଟସର ଫାର୍ମ ପାଖ ସଡ଼କରେ ଆଜି ଦିନ ଦ୍ବିପ୍ରହରରେ ୨ ଜଣ ଲୁଟେରା ଗୁଳି ଫୁଟାଇ ଏକ ୟୁନିକର୍ନ ବାଇକ୍‌ (ଓଡି-୩୪ପି-୯୬୦୪) ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

Advertisment

ସ୍ଥାନୀୟ କଞ୍ଚିଚୁଆ ଗାଁର ସାନୁ ବିରୁଆଙ୍କ ପୁଅ ସଞ୍ଜୟ(୧୯) ବାଇକ୍‌ରେ ଗ‌ାଁ ଫେରୁଥିବା ସମୟରେ ଏକ ୟାମାହା ବାଇକ୍‌ରେ ଥିବା ୨ ଜଣ ଲୁଟେରା ତାଙ୍କ ବାଟ ଓଗାଳିଥିଲେ। କିଛି ବୁଝିବା ପୂର୍ବରୁ ମୁହଁକୁ ଘୋଡ଼ାଇଥିବା ଲୁଟେରାଦ୍ବୟ ତାଙ୍କ ବାଇକ୍‌ ଚାବି ଓ ମୋବାଇଲ୍ ଛଡ଼ାଇ ନେଇଥିଲେ। ସଞ୍ଜୟ ପ୍ରତିବାଦ କରିବାରୁ ଜଣେ ଲୁଟେରା ବନ୍ଧୁକରୁ ଫାଙ୍କା ଗୁଳି ଚଳାଇଥିଲା। ଅନ୍ୟ ଜଣେ ତାଙ୍କୁ ଧକ୍କାମାରି ରାସ୍ତାକଡ଼କୁ ଠେଲିଦେଇ ବାଇକ୍‌ ଛଡ଼ାଇନେଇ ମଙ୍ଗଳପୁର ଆଡ଼କୁ ଚମ୍ପଟ୍‌ ମାରିଥିଲେ। ପୁଲିସ ଏହାର ତଦନ୍ତ କରୁଥିବା କହିଛି।