ଟ୍ରାକ୍ଟର ଧକ୍କାରେ ବାଇକ୍‌ ଆରୋହୀ ମୃତ, ଶବ ରଖି ସଂପର୍କୀୟଙ୍କ ବିକ୍ଷୋଭ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଗନ୍ଧର୍ଲା ପଞ୍ଚାୟତ ମାଳପଡ଼ା ନିକଟରେ ଶୁକ୍ରବାର ଟ୍ରାକ୍ଟର ଧକ୍କାରେ ବାଇକ୍‌ ଆରୋହୀ ସୁରଡ଼ା ଗାଁର ଶଙ୍ଖା ବଗର୍ତ୍ତି (୩୦ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସଂପର୍କୀୟମାନେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶୁକ୍ରବାର ରାତି ୧୦ଟା ସୁଦ୍ଧା ଘଟଣାସ୍ଥଳରେ ଶବ ପଡ଼ିରହିଥିବା ଦେଖିବାକୁ ମିଳିଥିଲା।

ପ୍ରକାଶ ଯେ, ଗନ୍ଧର୍ଲା ପଞ୍ଚାୟତ କାଳକୁଟ ମାଳପଡ଼ା ଗାଁକୁ ଟିଟିଲାଗଡ଼ ବ୍ଲକ୍‌ ସୁରଡ଼ା ଗାଁର କିଛି ଲୋକ ନବବିବାହିତା ଝିଅର ଜିଉନ୍ତିଆଛଡ଼ା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। କିଛି ଲୋକ ପିକ୍‌ଅପ୍‌ ଭ୍ୟାନ୍‌ ଓ କିଛି ଲୋକ ବାଇକ୍‌ରେ ଯାଉଥିଲେ। ଭୋଜିଭାତ ଖାଇ ଫେରୁଥିବା ସମୟରେ ମାଳପଡ଼ା ନିକଟରେ ଶଙ୍ଖା ବସିଥିବା ବାଇକ୍‌ ସହ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର (ସିଜି ୦୭ ଡି ୯୮୯୬)ର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଶଙ୍ଖାଙ୍କ ମୃତ୍ୟୁ ଘଟିଥିଲା। ସିନ୍ଧେକେଲା ପୁଲିସ, ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସଂପର୍କୀୟମାନେ ଶବ ଛାଡ଼ି ନଥିଲେ। ସିନ୍ଧେକେଲା ଥାନା ଏଏସ୍‌ଆଇ ଅରକ୍ଷିତ ନାଏକ ଘଟଣାସ୍ଥଳରେ ପହଞ୍ଚି ବହୁ ବୁଝାଶୁଝା ପରେ ମଧ୍ୟ ଟ୍ରାକ୍ଟର ମାଲିକ ନଆସିବା ଯାଏ ଶବ ଉଠାଇ ଦେବେ ନାହିଁ ବୋଲି ସେମାନେ ଜିଦ୍‌ ଧରିଥିଲେ।

ସମ୍ବନ୍ଧିତ ଖବର