ଲହୁଣୀପଡ଼ା: ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ଠିଆବେର୍ଣ୍ଣା ଛକରେ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ ବାଇକ୍ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କାହେବା ଫଳରେ ଜରେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ବାଇକ୍‌ରେ ବସିଥିବା ଅନ୍ୟଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଉଛନ୍ତି ଭାଲୁଡୁଙ୍ଗୁରି ପଞ୍ଚାୟତ ମାଙ୍କଡ଼ଚୁଆ ଗ୍ରାମର ପଦୁଆ ଓରାମ(୨୮)। ଗୁରୁତର ଶିବ ଓରାମ(୩୩)ଙ୍କୁ ଲହୁଣୀପଡ଼ାରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ଅନୁସାରେ, ରାଉରକେଲା ପଟୁ ଆସୁଥିବା ଓଡି ୦୯ ପି ୧୮୬୯ ନମ୍ବର ବିଶିଷ୍ଟ ୧୬ ଚକିଆ ଟ୍ରକ୍ ଠିଆବେର୍ଣ୍ଣା ନିକଟରେ ସମ୍ମୁଖ ଦିଗରୁ ଆସୁଥିବା ଓଡି ୧୪ ଏସି ୧୮୬୯କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ବସିଥିବା ପଦୁଆ ଓ ଶିବ ରାସ୍ତାରେ ଛିଟିକି ପଡ଼ିଥିଲେ। ପଦୁଆଙ୍କ ଘଟଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଲହୁଣୀପଡ଼ା ପୁଲିସ ଶିବଙ୍କୁ ଉଦ୍ଧାରକରି ଲହୁଣୀପଡ଼ା ଡାକ୍ତରଖାନାକୁ ପଠାଇଥିଲା। ପୁଲିସ ଏକ ମାମଲା ରୁଜୁକରି ବାଇକ୍‌ ଓ ଟ୍ରକ୍‌କୁ ଜବତକରି ଘଟଣାର ତଦନ୍ତ କରୁଛି।