ଡାଲାଅଟୋ ଧକ୍କାରେ ବାଇକ ଚାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ପଦ୍ମନାଭପୁୁର- ଓଡାସିଙ୍ଗି ମଧ୍ୟରେ ରହିଥିବା ଏକ ରାଇସ୍ ମିଲ ନିକଟରେ ରବିବାର ମଧ୍ୟାହ୍ନରେ ଏକ ଡାଲାଅଟୋ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଜଣକ ଦିଗପହଣ୍ଡି ବ୍ଲକ ଇଲାକାର ଧର୍ମେନ୍ଦ୍ର ରେଡ୍ଡୀ (୨୮) ଓ ଗୁରୁତର ମହିଳା ହେଲେ କୁନ୍ଦ ରେଡ୍ଡୀ (୪୦) ବୋଲି ଜଣାପଡିଛି ।

ଖବରନୁଯାୟୀ , ରବିବାର ମଧ୍ୟାହ୍ନରେ ଧର୍ମେନ୍ଦ୍ର ଓ ତାଙ୍କ ସମ୍ପର୍କୀୟ ମହିଳା ଜଣକ ନିଜ ବାଇକ ( ଓଡି୦୭ ୱାଇ ୨୪୦୬) ଯୋଗେ ରାସନ୍ ସାମଗ୍ରୀ ଆଣିବା ନିମନ୍ତେ ଦିଗପହଣ୍ଡି ଆସୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସି ଏକ ଅତୋ ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ।

ତେବେ ଉପସ୍ଥିତ ଡାକ୍ତର ଧର୍ମେନ୍ଦ୍ରଙ୍କୁ ମୃତ ଘୋଷିତ କରିଥିବା ବେଳେ ଗୁରୁତର ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ଡାଲା ଅଟୋ ଚାଳକକୁ ଗ୍ରାମବାସୀ କାବୁ କରି ଦିଗପହଣ୍ଡି ପୋଲିସକୁ ଜିମା ଦେଇଥିଲେ । ଏନେଇ ଦିଗପହଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରୁ ଉଭୟ ଗାଡ଼ିକୁ ମୃତଦେହକୁ ଜବତ କରିଥିବା ବେଳେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଶବଗୃହକୁ ପଠାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର