ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଅଗଝୋଳ ଗ୍ରାମ ଛକ ନିକଟରେ ଏକ ଘରୋଇ ବସ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ଭାବେ ଆହାତ ହୋଇଛନ୍ତି। ଆହାତ ଯୁବକ ଜଣକ ହେଲେ ଗୁରାବାଡି ଗ୍ରାମର ଇନ୍ଦ୍ର ବିଷୋୟୀଙ୍କ ପୁଅ ପ୍ରବୀଣ କୁମାର ବିଷୋୟୀ (୩୫)।

Advertisment

publive-image

ସୂଚନା ଅନୁସାରେ ପ୍ରବୀଣ ନିଜ ବଡ ଭାଇକୁ କେରଳ ଯିବା ପାଇଁ ଭଞ୍ଜନଗର ବସ୍‌ଷ୍ଟାଣ୍ଡ ଆଣି ଛାଡିଥିଲେ। ସେଠାରୁ ଅଗଝୋଳ ପେଟ୍ରୋଲ୍ ପମ୍ପରେ ବାଇକ୍‌ରେ ତେଲ ପକାଇ ଘରକୁ ଫେରୁଥିବା ବେଳେ ନିଜ ଗ୍ରାମ ନିକଟସ୍ଥ ଚୁନପଲ୍ଲୀ ଗ୍ରାମର ସୁଶାନ୍ତ ସେଠୀ ସହ ଦେଖା ହୋଇଥିଲା। ସେ ସୁଶାନ୍ତକୁ ସାଙ୍ଗରେ ନେଇ ଘରକୁ ଫେରୁଥିବା ବେଳେ ବ୍ରହ୍ମପୁର ରାସ୍ତାର ଅଗଝୋଳ ଛକ ନିକଟରେ ସୋରଡ଼ା ଯାଉଥିବା ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍ ଆଗ ଚକା ଭିତରୁ ପ୍ରବୀଣ ପଡିଯାଇଥିବା ବେଳେ ସୁଶାନ୍ତ ବାଇକରୁ ଡେଇଁ ପଡିଥିଲେ। ପ୍ରବୀଣର ବାମ ଗୋଡରେ ପ୍ରବଳ ଆଘାତ ଲାଗିଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିଲା। କିନ୍ତୁ ସୁଶାନ୍ତ ଏହି ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ। ତୁରନ୍ତ ପ୍ରବୀଣକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆବଶ୍ୟକ ଚିକିତ୍ସା ନମିଳିବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ୍ ଉଭୟ ଆପାଚି ବାଇକ୍ ଓ ବସକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।