ବସ୍ ଓ ବାଇକ୍ ମୁହାମୁହିଁ ଧକ୍କା, ବାଇକ୍‌ ଆରୋହୀ ମୃତ 

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ପଥରଗଡ଼ ପୋଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ବାଇକ୍ ମୁହାମୁହିଁ ଧକ୍କା ହେବାଫଳରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବାସହ ଗ୍ରାମବାସୀ କ୍ଷତିପୂରଣ ଦାବିରେ ମୃତଦେହ ରାସ୍ତାରେ ରଖି ୪୯ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଅସୁରଖୋଳ ଗ୍ରାମର ଶିବଚରଣ ସ୍ୱାଇଁ (୨୨) ବାଇକରେ ଦେବଗଡ଼ ପଟୁ ନିଜ ଗ୍ରାମକୁ ଯାଉଥିବା ସମୟରେ ପଥରଗଡ଼ ପୋଲ ନିକଟରେ ସମ୍ବଲପୁରରୁ ଦେବଗଡ଼ ଆସୁଥିବା ସାଇନାଥ ନାମକ ଯାତ୍ରୀବାହୀ ବସ୍ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଦୁର୍ଘଟଣାପରେ ଚାଳକ ବସ୍ ସହ ଦେବଗଡ଼ ଥାନାରେ ଆତ୍ମସମର୍ପଣ କରିଥିବାବେଳେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ୪୯ନଂ ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।

ଘଟଣାସ୍ଥଳରେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଏବଂ ଦେବଗଡ଼ ଥାନା ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାବେଳେ ଲୋକାମାନେ ନିଜର ଜିଦରେ ଅଟଳ ରହିଥିଲେ । ଖବରଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି ।

ସମ୍ବନ୍ଧିତ ଖବର