ଦ୍ରୁତଗତିରେ ଆସୁଥବା ଟ୍ରକ ଯୋଗୁଁ ବାଇକ୍ ଆରୋହୀଙ୍କ ଜୀବନ ଗଲା  

ଭବାନୀପାଟଣା: ଲକଡାଉନ୍ ବେଳେ ଜନସାଧାରଣଙ୍କ ପାଇଁ ଲକଡାଉନ କଟକଣା ଥିବାବେଳେ ମାଲ ପରିବହନ ପାଇଁ ରାସ୍ତା ଖୋଲା ଛାଡ଼ିଥିବାବେଳେ ଜଣେ ଟ୍ରକ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଆଜି ଜଣେ ବାଇକ୍ ଆରୋହୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଥିବାବେଳେ ଟ୍ରକଟି ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ପଳାଉଥିବା ବେଳେ ଅଧା ରାସ୍ତାରେ ପୁଣି ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଧନପୁର ପଞ୍ଚାୟତ ଗୋପାଳପୁର ଗାଁର ପୁରୁଷୋତ୍ତମ ବାଗ(୪୮) ଆଜି ସକାଳ ସାଢେ ୭ ଟା ସମୟରେ ନିଜ ବାଇକ୍ ରେ ଭବାନୀପାଟଣା ଯାଉଥିଲେ । ୬ ନମ୍ବର ରାଜ୍ୟ ରାଜପଥ ବଡ଼ ଛତିକୁଡ଼ା ନିକଟରେ ଭବାନୀପାଟଣା ପଟୁ ଦ୍ରୁତଗତିରେ ଆସୁଥବା ଟ୍ରକନଂ ସିଜି-୧୨-ଏସ୍-୯୨୨୨ ତାଙ୍କୁ ଧକ୍କା ଦେବା ସହ ବାଇକ୍ ସହ କିଛି ଦୂର ଘୋଷାଡ଼ି ନେଇଥିଲା ଘଟଣାସ୍ଥଳରେ ପୁରୁଷୋତ୍ତମ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବାବେଳେ ଟ୍ରକଟି ଦୁର୍ଘଟଣା ଘଟାଇ ସିକେରକୁପା ପଟେ ଦ୍ରୁତଗତିରେ ପଳାଉଥିଲା । ଫଳରେ କଦଳୀଘାଟିରେ ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ସଦର ଥାନା ପୁଲିସ ଆଇ ଆଇସି ପ୍ରଦୀପ କୁମାର ଧରୁଆ ଘଟଣାସ୍ଥଳରେ ପହଞ୍ଚିବା ସହ ପୁରୁଷୋତ୍ତମଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୁରୁଷୋତ୍ତମଙ୍କ ତାଙ୍କର ମୃତ୍ୟୁ ହୋଇଥିଲା ।

ପୁଲିସ ପକ୍ଷରୁ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ସଦର ଥାନା ପକ୍ଷରୁ କେସ୍ ନଂ ୧୯୩/୨୦ରେ ଏକ ମାମଲା ରୁଜୁ କରି ଏଏସ୍ଆଇ ସଚିନ୍ଦ୍ର ପ୍ରଧାନ ତଦନ୍ତ କରୁଛନ୍ତି । ଅପରପକ୍ଷରେ ଆଜି ଅପରାହ୍ନରେ ଗାଁରେ ପୁରୁଷୋତ୍ତମ ଙ୍କ ମୃତ ଶବ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସ୍ରୁଷ୍ଟି ହୋଇଥିଲା । ମୃତ ପୁରୁଷୋତ୍ତମ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ଘରେ ବିଧବା ପତ୍ନୀ, ତିନିପୁଅ ଓ ଗୋଟିଏ ଝିଅ ଅଛନ୍ତି । ଏଣୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି । ଆଜି ଖବର ପାଇ ଗୋବର୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ ହରିଶ୍ଚନ୍ଦ୍ର ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର