ବଲାଙ୍ଗୀର: ଭୀମ ଭୋଇ ମେଡିକାଲ୍ରେ ରୋଗୀ ଓ ପରିଜନଙ୍କ ଜିନିଷପତ୍ର ତଥା ଡାକ୍ତରଖାନାକୁ ସୁରକ୍ଷା ଦେଉଥିବା ସୁରକ୍ଷାକର୍ମୀଙ୍କ ବାଇକ୍ ଚୋରି ହୋଇଛି। ସଦର ବ୍ଲକ୍ କୁଶମେଲ ଗ୍ରାମର ରଞ୍ଜିତ ଚନ୍ଦନ ମେଡିକାଲରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି। ଗୁରୁବାର ସେ ମେଡିକାଲକୁ ବାଇକ୍ରେ ଆସି ନିଜ ଡ୍ୟୁଟି କରିଥିଲେ। ଘରକୁ ଗଲା ବେଳେ ତାଙ୍କ ବାଇକ୍ ଆଉ ଷ୍ଟାଣ୍ଡରେ ନଥିଲା। ସିସିଟିଭି ଯାଞ୍ଚ କରିବାରୁ ତାଙ୍କ ବାଇକ୍କୁ କେହି ଜଣେ ଠେଲି ଠେଲି ଚୋରି କରି ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ରଞ୍ଜିତ ତୁରନ୍ତ ସୁପର୍ଭାଇଜର୍ଙ୍କୁ ଚୋରି ବିଷୟରେ ଜଣାଇବା ସହ ଟାଉନ୍ ଥାନରେ ଅଭିଯୋଗ କରିଥିଲେ।
ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଛି। ଭୀମ ଭୋଇ ମେଡିକାଲ୍ ଚୋରମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ରୋଗୀ ପରିଜନଙ୍କ ବାଇକ ଓ ମୋବାଇଲ ଚୋରି ନିତିଦିନିଆ ଘଟଣାରେ ପରିଣତ ହେଲାଣି। ମେଡିକାଲ୍ ପରିସରରେ ଏକ ପୁଲିସ୍ ଫାଣ୍ଡି ମଧ୍ୟ ରହିଛି। କିନ୍ତୁ ଦୁଇ ଜଣ କର୍ମଚାରୀ ବିଶିଷ୍ଟ ଫାଣ୍ଡି କିଛି କାମକୁ ନୁହଁ। ଯେଉଁଠି ସୁରକ୍ଷାକର୍ମୀଙ୍କ ଜିନିଷ ଅସୁରକ୍ଷିତ, ସେଠାରେ ରୋଗୀଙ୍କ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ହୋଇ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/ca0e5264-5f6f-41d1-8085-99ac6aaf3320.jpeg)