ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅଧୀନ କୁଶଙ୍ଗ ରେଞ୍ଜ ସେମିଗୁଡ଼ା ଅଞ୍ଚଳରୁ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ବର ମାଂସ ଚାଲାଣ ବେଳେ ବନ୍ୟପ୍ରାଣୀ ବିଭାଗ ମାଂସ ସହ ଏକ ବାଇକକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣକୁ ଗିରଫ କରିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଗତକାଲି ରାତିରେ ସାତକୋଶିଆ ଅଭୟାରଣ୍ୟ ସେମିଗୁଡା ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳର କୋର୍ ଏରିଆରୁ ସମ୍ବର ମାଂସ ଚାଲାଣ ହେଉଥିବା କୁଶଙ୍ଗ ବନ୍ୟପ୍ରାଣୀ ବିଭାଗକୁ ଖବର ମିଳିଥିଲା।
ଫଳରେ ରେଞ୍ଜ ଅଫିସରଙ୍କ ନେତୃତ୍ବରେ ବିଭାଗୀୟ ଟିମ୍ ସେମିଗୁଡ଼ା ଚେକ୍ଗେଟ୍ ନିକଟରେ ଛକି ରହିଥିଲେ। ଏହି ସମୟରେ ଆସୁଥିବା ଏକ ବାଇକ୍କୁଅ ଟକାଇ ଯାଞ୍ଚ କରିବାରେ ସେଥିରୁ ୨ କେଜି ସମ୍ବର ମାଂସ ମିଳିଥିଲା। ଫଳରେ ବିଭାଗୀୟ ଅଧିକାରୀମାନେ ଉକ୍ତ ମାଂସ ଓ ବାଇକ୍ ଜବତ କରିବା ସହ ଏଥିରେ ସଂପୃକ୍ତ ହାତୀଗଡ଼ ଅଞ୍ଚଳର ସଞ୍ଜୟ ସେନାପତି (୪୨)କୁ ଗିରଫ କରିଥିଲେ। ଶିକାର ବିଷୟରେ ପଚରାଉଚରା ସତ୍ତ୍ବେ ସଞ୍ଜୟ କୌଣସି ସୂଚନା ଦେଇନଥିଲା। ତେବେ ଅଭୟାରଣ୍ୟର ସରିପାଜୁ ତଇଳାସାହି ଅଞ୍ଚଳରେ ଏହି ସମ୍ବର ଶିକାର କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ବୋଲି ବନ୍ୟପ୍ରାଣୀ ବିଭାଗ କହିଛି। ଏ ନେଇ ବିଭାଗୀୟ କେସ୍ ନଂ. ୨/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା। ମାତ୍ର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି କୁଶଙ୍ଗ ରେଞ୍ଜ ଅଫିସର ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/arrest1-1.jpg)