ରାଉରକେଲା: ବେଦବ୍ୟାସ କଲୁଙ୍ଗା ନିକଟସ୍ଥ ସ୍କୁଲ ସମ୍ମୁଖରେ ବୋଲେରୋ ପିକ୍ଅପ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଲୁଙ୍ଗାର ସାଗର ବାରିକ୍ (୨୬)। ଗତକାଲି ରାତି ପ୍ରାୟ ୯ଟାରେ ସାଗର ଓ ତା’ର ଅନ୍ୟ ଜଣେ ସାଙ୍ଗ ବାଇକ୍ରେ ବେଦବ୍ୟାସ ମେଳା ବୁଲିବାକୁ ଆସୁଥିଲେ। କଲୁଙ୍ଗା ସ୍କୁଲ ନିକଟର ସମ୍ମୁଖ ପଟୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ପିକ୍ ଧକ୍କା ଦେଇଥିଲା।
ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ବେଦବ୍ୟାସର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସାଗରଙ୍କୁ ମୃତ ଘୋଷଣା କରିଥିଲେ। ତା’ର ଅନ୍ୟ ଜଣେ ସାଙ୍ଗ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତ ସାଗରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ପରିବାର ଲୋକ ଶବ ଉଠାଇ ନଥିଲେ। ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଓ ଗାଡ଼ି ମାଲିକ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାପଡ଼ିଛି।