ରାୟଗଡା: ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବା ଜଣାପଡିଛି। ଘଟଣାଟି ଘଟିଛି ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଥାନା ଅଧିନସ୍ଥ ଡଙ୍ଗାସିଲ ଗ୍ରାମ ପଞ୍ଚାୟତର ପାଣ୍ଡକାପଦର ଛକରେ। ମୃତ ବାଇକ ଆରୋହୀ ଉକ୍ତ ପଞ୍ଚାୟତର ତୁଜେର ଗ୍ରାମର କାନ୍ତାରୁ ନାଏକଙ୍କ ୨୭ବର୍ଷୀୟ ପୁଅ ବାଲେଶ୍ୱର ନାଏକ ବୋଲି ଜଣାପଡିଛି। ଉତ୍ୟକ୍ତ ଲୋକେ ବାଲେଶ୍ୱରଙ୍କ ମର ଶରୀରକୁ ନେଇ କ୍ଷତିପୂରଣ ଦାବିରେ ଦୀର୍ଘ ୫ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ କରିବା ସହ ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡିକୁ ଧରିବା ପାଇଁ ଦାବି କରିଥିଲେ।

Advertisment

ଘଟଣା ସ୍ଥଳରେ ଦୋରାଗୁଡା ଥାନା ପୁଲିସ ଏବଂ ଡଙ୍ଗାସିଲ ଫାଣ୍ଡି ପୁଲିସ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲା। ବାଲେଶ୍ୱର ଉତ୍କଳ ଆଲୁମିନା କମ୍ପାନି ଅଧିନସ୍ଥ ସବ୍ କମ୍ପାନି ଆଦିତ୍ୟ ଲଗିଷ୍ଟିକ୍‌ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ରବିବାର ଅପରାହ୍ନ ସାଢେ ୨ଟା ସମୟରେ ସେ ନିଜ ବାଇକରେ ଡ଼୍ୟୁଟିକୁ ଯାଉଥିବା ସମୟରେ ପାଣ୍ଡକାପଦର ଛକରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣା ସ୍ଥଳରେ ବାଲେଶ୍ୱର ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ତାଙ୍କ ବାଇକ୍ ମଧ୍ୟ ଛିଟିକି ପଡିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଉଷାପଡା ହସ୍ପିଟାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ କାମ କରୁଥିବା କମ୍ପାନି ପକ୍ଷରୁ ତାଙ୍କ ପରିବାରକୁ କ୍ଷତିପୂରଣ ଏବଂ ଅଜଣା ଗାଡିକୁ ଧରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।