ପୁରୁଣାକଟକ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବଡ଼ବନ୍ଧ ଛକ ନିକଟରେ ଶୁକ୍ରବାର ଦିନ ୧୨ଟା ୪୫ ମିନିଟ ସମୟରେ ଗୋଟିଏ ବାଇକ ଓ ସ୍କୁଟି ଧକ୍କା ହୋଇଛି। ଏଥିରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ବାଇକ ଆରୋହୀ ୨ ଜଣ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ମତେ ରାମ୍ବିକଟା ଗ୍ରାମର ଉପେନ୍ଦ୍ର ରଣା (୫୫)ପୁରୁଣାକଟକକୁ ମାର୍କେଟିଂ କରିବାକୁ ଆସି ନିଜ ସ୍କୁଟି (ଓଡ଼ି୨୭ସି୦୩୩୨) ଯୋଗେ ବଡ଼ବନ୍ଧ ଛକ ଦେଇ ନିଜ ଗ୍ରାମକୁ ଫେରୁଥିଲେ।ଏହି ସମୟରେ ବଡ଼ବନ୍ଧ ଛକରେ ତାଙ୍କ ପଛପଟୁ ଓଭେଟେକ କରୁଥିବା ଓଡ଼ି୧୨ଡ଼ି୯୧୨୭ ନଂ ବିଶିଷ୍ଟ ଏକ ପଲସର ବାଇକ ଧକ୍କା ଦେଇଥିଲା। ଫଳରେ ଉପେନ୍ଦ୍ର ଗୁରୁତର ଆହତ ହାଇଥିଲେ। ଖବର ପାଇ ପୁରୁଣାକଟକ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଉପେଦ୍ରଙ୍କୁ ପରୀକ୍ଷା କରି ମୃତ୍ୟୁ ଘୋଷଣା କରିଥିଲେ ।
ପଲସର ଚାଳକ କନ୍ଧମାଳ ଜ଼ୀଲ୍ଲା ଫୁଲବାଣୀ ବ୍ଲକର ଆଲୋକ ମଲ୍ଲିକ(୨୫) ଏବଂ ତାଙ୍କ ସହିତ ବାଇକ ପଛପଟେ ବସିଥିବା ରାଜେଶ କହଁର(୨୨) ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଆଲୋକ ଏବଂ ରାଜେଶକୁ ପୁରୁଣାକଟକ ପୋଲିସ ଥାନାରେ ଅଟକ ରଖି ଏହାର ତଦନ୍ତ ଜାରୀରଖିବା ସହ ମୃତ ଉପେଦ୍ରଙ୍କ ମରଶରୀରକୁ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିବା ସୂଚନା ମିଳିଛି ।