ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରିବା ପ୍ରସ୍ତାବ ନାହିଁ: ଭାଇରାଲ ଚିଠିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

ଜୟପୁର: ଅଭିବକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ସରକାରୀ ମହାବିଦ୍ୟାଳୟ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରାଯିବାର କିଛି ଯୋଜନା ନାହିଁ। ଏଭଳି ସ୍ପଷ୍ଟ ଭାବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧାନସଭାର ସଚିବଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଏଥିପୂର୍ବରୁ ବି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗ ଏବଂ ରୁସା ଜାତୀୟ ମିଶନର ନିର୍ଦେଶିକା କାମିନୀ ଚୈହାନ ରତନଙ୍କୁ ରାଜ୍ୟର ୮ଟି ମହାବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓବିଶ୍ବବିଦ୍ୟାଳୟର ରୁସା୧.୦ର ଅନୁଦାନର ରିପୋର୍ଟ ଦେଇଥିବା ଚିଠିରେ ବି ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ହେବାକୁ ନେଇ କିଛି ପ୍ରସ୍ତାବ ରହି ନଥିଲା।

ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରାଯିବା ଯୋଜନା ନଥିବା  ଉଚ୍ଚଶିକ୍ଷା ବିଭାଗର ଚିଠି ଭାଇରାଲ ପରେ  ଜୟପୁର ସହରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଗତ କିଛି ମାସ ହେବ ପୂର୍ବତନ ଛାତ୍ରସଂସଦର ସଭା‌ପତି ଏବଂ ରାଜନୈତିକ ନେତୃମଣ୍ଡଳୀ ଏକକ ବିଶ୍ବବିଦ୍ୟାଳୟ ପାଇଁ ପ୍ରୟାସ କରି ଆସୁଛନ୍ତି।  ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବି ଏ ନେଇ ବିଧାନସଭାରେ ପ୍ରସ୍ତାବ ଉଠାଇବା ସହ ବଭାଗୀୟ ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିବା କହିଛନ୍ତି।

ସେଭଳି ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ବି କେନ୍ଦ୍ର ଉଚ୍ଚଶିକ୍ଷା ଏବଂ ମାନବସମ୍ବଳ ମନ୍ତ୍ରୀଙ୍କୁ ବି ଭେଟି ସ୍ମାରକପତ୍ର  ଦେଇଥିବା ସୂଚନା ମିଳିଛି।  ସଂପ୍ରତି ଭାଇରାଲ ଚିଠିକୁ ନେଇ ପୂର୍ବତନ ଛାତ୍ରସଂସଦର ସଭାପତି ବିଜି ରାୟ ଜେନାଦେଓ, କେ.ଶ୍ରୀନିବାସ ରାଓ, ଧର୍ମେନ୍ଦ୍ର ଅଧିକାରୀ, ବୁଲୁ ଦେବ ଶର୍ମା, ସତୀଶ ସାହୁ, ସଂଗ୍ରାମ ସିଂ, ସିଦ୍ଧାର୍ଥ ପାଣିଗ୍ରାହୀ, ରଘୁ ନାୟକ, ମାନବିକ ଅଧିକାର କର୍ମୀ ଅନୁପ ପାତ୍ର, ଛାତ୍ରୀ ଅଙ୍କିତା ସାମନ୍ତ, ଚିନ୍ମୟୀ ଦାଶ, ଯଶ୍ମିନ ସିଂ, ଜୟନ୍ତି ସୋଢ଼ି ନନ୍ଦିନୀ ପରିଚ୍ଛା, ଅନ୍ବେଷ ପଟ୍ଟନାୟକ ପ୍ରମୁଖ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

୧୦୦କିଲୋ ମିଟର ମଧ୍ୟରେ ପଶ୍ଚିମ ଓଡିଶାର ୨ଟି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଗଲା। ଆମକୁ ପାତର ଅନ୍ତର କରିବା କେତେ ଦୁର ଯୁକ୍ତିଯୁକ୍ତ। ୧୯୪୭ରୁ ୨୦୨୦ ଦୀର୍ଘ ଏତେ ବର୍ଷ ପରେ ବି ଏହି ମହାବିଦ୍ୟାଳୟକୁ ମାନ୍ୟତା ନ ଦେବା କେତେ ଦୁର ଯୁକ୍ତିଯୁକ୍ତ। ୫ମ ଅଧିସୂଚିତ ଅଂଚଳରେ ଥିବାରୁ ଏହାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଲେ ଏଠାକାର ଗରିବ , ଆଦିବାସୀ, ହରିଜନ , ପଛୁଆବର୍ଗ ଆଦିର ପିଲାମାନେ ସେମାନଙ୍କର ଲକ୍ଷ୍ୟ ଓମନପସନ୍ଦର ପାଠ ପଡି ଭଲ ମଣିଷ ହୋଇ ପାରିବେ।

ଦୀର୍ଘ ୭୩ବର୍ଷ ତଳର ପୁରୁଣା ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ଘଟଣା। ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାରଙ୍କୁ ତୁରନ୍ତ ପ୍ରସ୍ତାବ ଦେବା ଆବଶ୍ୟକ। ଉଭୟ ସରକାର ଶିକ୍ଷାର ବିକାଶ କଥା କହୁଛନ୍ତି। ତାହାକୁ କାର୍ଯ୍ୟକାରୀ କରିବା ପାଇଁ ନିଶ୍ଚିତ ରୁପେ ବିକ୍ରମ ଦେବ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ଆବଶ୍ୟକ। ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣଅନୁକୋଣ, ଗ୍ରାମାଂଚଳର ପିଲା ମାନେ ଏଠାରେ ପଡୁଛନ୍ତି।

ତେବେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ନେବା ସହଜ ହୋଇ ପାରୁନି। ଭୁବନେଶ୍ବର, ବ୍ରହ୍ମପୁର ଯାଇ ପାଠ ପଡିବା ଆମ ଅଂଚଳର ପିଲାଙ୍କ ପାଇଁ ସମ୍ଭବ କି ବୋଲି ଏମାନେ ସବୁ ପ୍ରଶ୍ନ କରିଛନ୍ତି। ପୁଣି ଥରେ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ସେ ପ୍ରଶ୍ନ କରିବା ସହ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଆଲୋଚନା କରିବେ , ଏହାକୁ ଏକକ୍ ବିଶ୍ବବିଦ୍ୟାଳୟ କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ବିଧାୟକ। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ବି ଏହାକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ବହୁ ପ୍ରୟାସ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର