ଦୀର୍ଘ ଦିନ ହେବ ମିଳୁନି ସରକାରୀ କାମର ବିଲ୍; ଶ୍ୟାମାଖୁଣ୍ଟା ବ୍ଲକରେ ତାଲା ପକାଇଲେ ଜନପ୍ରତିନିଧି

ବିଡିଓଙ୍କ ବିରୋଧରେ ଝାଡ଼ିଲେ ଅସନ୍ତୋଷ

ବାରିପଦା: ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେବ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରିସାରିବା ପରେ ମଧ୍ୟ ବ୍ଲକରୁ ମିଳିନି ବିଲ୍। ଫଳରେ କାମ କରିଥିବା ନିର୍ବାଚିତ ଜନପ୍ରତିନିଧି ଏବଂ ଭେଣ୍ଡରମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଲ ପେମେଣ୍ଟ ନହେବାରୁ ବ୍ଲକ ଆଗରେ ଧାରଣାରେ ବସିବା ସହ ବ୍ଲକ ଅଫିସକୁ ତାଲା ମାରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକରେ ଘଟିଛି ଏପରି ଘଟଣା। ୪୯ ଏବଂ ୫୦ ନମ୍ବର ଜିଲ୍ଲାପରିଷଦ ସଦସ୍ୟ, ବ୍ଲକର ସମସ୍ତ ପଞ୍ଚାୟତ ସମିତି ମେମ୍ବର, ସରପଞ୍ଚ ଓ ଭେଣ୍ଡରମାନେ ମିଶି ଆଜି ବ୍ଲକ କାର୍ଯ୍ୟାଳୟକୁ ତାଲା ମାରିଛନ୍ତି। ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ଲକ ବିଡିଓଙ୍କ ଅନୁମୋଦନ ପରେ କାମ କରାଯାଇଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଟଙ୍କା ଆସିଲା ପରେ ବିଡ଼ିଓ ସଂପୂର୍ଣ୍ଣ ହୋଇଥିବା କାମ ଗୁଡିକର ବିଲ୍ ପେମେଣ୍ଟ କରିଥାନ୍ତି। ହେଲେ ଆଜକୁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେବ ପଞ୍ଚାୟତ ଗୁଡିକର କାର୍ଯ୍ୟ ସରି ଯାଇଥିଲେ ମଧ୍ୟ ବିଲ୍ ପୈଠ କରିନାହାଁନ୍ତି ଶ୍ୟାମାଖୁଣ୍ଟା ବ୍ଲକର ବିଡ଼ିଓ ଜୟକୃଷ୍ଣ ପାତ୍ର। ବିଲ୍ କରିବା ପାଇଁ ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ ବିଡ଼ିଓ। ଫଳରେ ଆଜି ସରପଞ୍ଚ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ମାନେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ଖାଣ୍ଡିଆ ଗ୍ରାମପଞ୍ଚାୟତ ସରପଞ୍ଚ ଗୌରାଙ୍ଗ ଚରଣ ନାଏକ।

Sambad

ସେହିପରି ବ୍ଲକର କେବଳ ୨ଟି ପଞ୍ଚାୟତରେ ବିଡିଓ ବିଲ୍ ପେମେଣ୍ଟ କରିଥିବା ବେଳେ ଅନ୍ୟ ପଞ୍ଚାୟତ ଗୁଡିକରୁ ପି.ସି ନପାଇବାରୁ ବିଲ୍ ପେମେଣ୍ଟ କରୁନାହାଁନ୍ତି। ଯାହାକୁ ନେଇ ଆଜି ବ୍ଲକ ଅଧିନରେ ଥିବା ତମାମ ପଞ୍ଚାୟତ ଗୁଡ଼ିକର ଜିଲ୍ଲାପରିଷଦ ମେମ୍ବର, ପଞ୍ଚାୟତ ସମିତି ମେମ୍ବର, ସରପଞ୍ଚ ଓ ଭେଣ୍ଡର ମାନେ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟକୁ ତାଲା ମାରିବା ସହ ଧାରଣାରେ ବସିଥିବା ପ୍ରକାଶ କରିଛନ୍ତି ବାଲିଡିହା ଗ୍ରାମ ପଞ୍ଚାୟତ ସରପଞ୍ଚ ଗୁରୁପ୍ରସାଦ ଡାଙ୍ଗୁଆ। ଯେପର୍ଯ୍ୟନ୍ତ ବିଲ୍ ପେମେଣ୍ଟ ନହୋଇଛି ଏବଂ ବିଡ଼ିଓଙ୍କୁ ବଦଳି ନ କରାଯାଇଛି ସେପର୍ଯ୍ୟନ୍ତ ଧାରଣା ଦେବା ସହ ଆନ୍ଦୋଳନ ଜାରୀ ରଖିବେ ବୋଲି ଅଭିଯୋଗକାରୀ ମାନେ କହିଛନ୍ତି। ଅନ୍ୟପଟେ ବିଡ଼ିଓ ଆଜି ବ୍ଲକକୁ ଆସିନଥିଲେ। ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର